‘ଏମସ୍ ପ୍ଲସ୍’ ଢାଞ୍ଚାରେ ଏସ୍ସିବି ମେଡିକାଲ, ୩,୫୦୦ କୋଟି ବ୍ୟୟ କରିବେ ରାଜ୍ୟ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ହେବ ବିଶ୍ୱସ୍ତରୀୟ। ଏସସିବିକୁ ‘ଏମସ ପ୍ଲସ୍’ କରିବା ପାଇଁ ରାଜ୍ୟ ସରକାର ନିଜସ୍ୱ ବଜେଟରୁ ୩ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ରହିବ ଏହି ପ୍ରକଳ୍ପ। ୫,୦୦୦ ଶଯ୍ୟା ସହିତ ଡାକ୍ତର, ରୋଗୀ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ ହେବ। ନିର୍ଦ୍ଧାରିତ ସମୟରେ ଏହି ପ୍ରକଳ୍ପଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ଷର ଶେଷ ଦିନରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ କହିଥିଲେ, ସ୍ୱାସ୍ଥ୍ୟ ସେବା ପାଇଁ ଓଡ଼ିଶାବାସୀଙ୍କର ବିଶ୍ୱାସର କେନ୍ଦ୍ର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲ ହେବ ଉତ୍କର୍ଷ କେନ୍ଦ୍ର। ଫଳରେ ୨୦୨୧ରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହାକୁ ଏକ ନୂଆ ଯୁଗର ସଂକେତ ଦେବ। ମୁଖ୍ୟମନ୍ତ୍ରୀ କହିଥିଲେ, ୧୭୫ ଏକର ଜମିରେ ବିକଶିତ ହେବାକୁ ଥିବା ଉକ୍ତ ପ୍ରକଳ୍ପରେ ପଥମ ପର୍ଯ୍ୟାୟରେ ଶଯ୍ୟା ସଂଖ୍ୟା ୩,୫୦୦ ରହିବ। ପରେ ତାହା ୫୦୦୦କୁ ବୃଦ୍ଧି କରାଯିବ। ୩ ବର୍ଷରେ ସମ୍ପୂର୍ଣ୍ଣ ହେବ ପ୍ରକଳ୍ପ। ଡାକ୍ତର, ରୋଗୀ, ରୋଗୀଙ୍କ ସହାୟକ, ସ୍ୱାସ୍ଥ୍ୟ କର୍ମଚାରୀ ସମସ୍ତଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ଅତ୍ୟାଧୁନିକ ଚିକିତ୍ସା ଉପକରଣ ସହିତ ପରିବହନ ବ୍ୟବସ୍ଥା, ଆଧୁନିକ ରେଷ୍ଟୁରାଣ୍ଟ, ବାଣିଜ୍ୟ କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ ସୁବିଧା ଉପଲବ୍ଧ ହେବ। ୧୨୮୦ଟି ସରକାରୀ ବାସଗୃହ ନିର୍ମିତ ହେବା ସହିତ ଛାତ୍ରାବାସରେ ଅଧିକ ୨୨୦୦ ଜଣ ଛାତ୍ରଛାତ୍ରୀ ରହିବାର ବ୍ୟବସ୍ଥା କରାଯିବ। ଏଥିଯୋଗୁଁ ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ। ଏହି ପ୍ରକଳ୍ପ ରୋଗୀମାନଙ୍କୁ ସୁଲଭ ତଥା ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାରେ ଏକ ଉଦାହରଣ ସୃଷ୍ଟି କରିବ। ଜନସାଧାରଣ ସୁଲଭ ତଥା ଉଚ୍ଚ ଗୁଣାତ୍ମକମାନର ସ୍ୱାସ୍ଥ୍ୟସେବା ପାଇବେ। ଦେଶ ବିଦେଶରେ ଚିକିତ୍ସା ସେବା ଯୋଗାଇ ସୁନାମ ଅର୍ଜନ କରିଥିବା ବହୁ ଓଡ଼ିଆ ଡାକ୍ତର ସେମାନଙ୍କ ଜନ୍ମ ମାଟିରେ ନିଜର ଦକ୍ଷତାକୁ ପ୍ରତିପାଦିତ କରିପାରିବେ।

ଏହାଦ୍ୱାରା ରାଜ୍ୟବାସୀ ଉନ୍ନତମାନର ଚିକିତ୍ସା ସେବାରେ ପାଇ ପାରିବେ। ସମସ୍ତଙ୍କ ସହଯୋଗରେ ଏହି ଅନୁଷ୍ଠାନ ଦିନେ ଦେଶର ଶ୍ରେଷ୍ଠ ୩ଟି ଚିକିତ୍ସା ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇବାରେ ସଫଳ ହେବ। ଏସ୍ସିବି ମେଡିକାଲ କଲେଜ ହସ୍ପିଟାଲର ସୁପରିଚାଳନ ପାଇଁ ଏକ ସ୍ୱାଧୀନ ପରିଚାଳନା ମଣ୍ଡଳୀ ରହିବ। ହସ୍ପିଟାଲର ଉନ୍ନତି ସହ କ୍ରୀଡ଼ା ଓ ମନୋରଞ୍ଜନ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରାଯିବ।  ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।