ନୀରବି ଗଲେ ନିମାଁଇ, ଓଡ଼ିଆ ସଙ୍ଗୀତ ଜଗତର ଅପୂରଣୀୟ କ୍ଷତି

ବାରିପଦା,ଏନ୍ଏନ୍ଏସ୍‌: ଓଡ଼ିଆ ସିନେମା ତଥା ସଙ୍ଗୀତ ଜଗତର ବେତାଜ ବାଦଶାହ ଗୀତିକାର ନିମାଇଁ ମହାନ୍ତିଙ୍କ ପରଲୋକ ଘଟିଛି । ବାରିପଦାର ପୁରୁଣା ହାଟସାହି ସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ଘଟିଛି । ଦୀର୍ଘ ଦିନ ହେବ ରୋଗ ଶଯ୍ୟାରେ ଥିବା ବେଳେ ଶୁକ୍ରବାର ଅପରାହ୍ନରେ ୭୦ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ନିମାଇଁ ମହାନ୍ତିଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । ସୁନାମଧନ୍ୟ ଗୀତିକାରଙ୍କ ନିଧନ ଖବର ପ୍ରଚାର ମାତ୍ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଛନ୍ତି ।

ଦିନେ ନିମାଇଁଙ୍କ ଗୁଣୁଗୁଣୁ ଗୀତରେ ସାରା ଓଡ଼ିଶା ଝୁମି ଉଠୁଥିଲା । ମୟୂରଭଞ୍ଜର ସେହି ଯଶସ୍ବୀ ପୁତ୍ର ଏବେ ଆଉ ନାହାନ୍ତି। ସଙ୍ଗୀତ ଜଗତର ଯେଉଁ ନିଖୁଣ କାରିଗର ତାଙ୍କ ହାତରେ ଆଉ ସେହିଭଳି ସଙ୍ଗୀତର ସ୍ୱର ମଧ୍ୟ ତିଆରି ହୋଇ ପାରିବନି । ନିମାଇଁ ଅଶି ଓ ନବେ ଦଶକର ଜଣେ ଓଡ଼ିଶା ସଙ୍ଗୀତ ଜଗତର ସୃଜନ ଶିଳ୍ପ ସ୍ରଷ୍ଟା ଓ ସୁନାମଧନ୍ୟ ଗୀତିକାର ଥିଲେ । ୧୯୫୩ ମସିହାରେ ବାରିପଦାରେ ତାଙ୍କର ଜନ୍ମ ହୋଇଥିବାରୁ ସେ ପିଲାଟି ବେଳୁ କଳା କ୍ଷେତ୍ର ସହ ଜଡିତ ଥିଲେ । ସେ ଅନେକ ଗୀତର ହୋଇଛନ୍ତି ପ୍ରେରଣାର ଉତ୍ସ । ଦର୍ଶକଙ୍କ ହୃଦୟରେ ସେ କାଜଲ୍ୟମାନ । ସେ ଏକ ଧାରାରେ ଜଣେ ଦକ୍ଷ ସଫଳ ଗୀତିକାର, ଲେଖକ ଓ ସଂସ୍କୃତିକୁ ଭଲ ପାଉଥିବା ମଣିଷଟିଏ । ମନ ଛୁଆଁ ଗୀତ ରଚନା ସୃଷ୍ଟି କରିବାରେ ସେ ଜଣେ ଅନନ୍ୟ ଯାଦୁକର ।

ଓଡ଼ିଆ ସଙ୍ଗୀତ ଜଗତରେ ସେ ଜଣେ ଅମୂଲ୍ୟ ସ୍ୱନ୍ଧିକ । ବେତାର ସଙ୍ଗୀତ, ଦୂରଦର୍ଶନ, ମଞ୍ଚ ନାଟକ ଓ ଚଳଚ୍ଚିତ୍ର ସଙ୍ଗୀତର ଗୀତିକାର ଭାବରେ ସେ ରାଜ୍ୟସ୍ତରରେ ପରିଚିତ । ଜୀବନ ବ୍ୟାପି ସଙ୍ଗୀତ ସାଧନାରେ ଆତ୍ମ ମଗ୍ନ ହୋଇ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୨୦୧୦ ମସିହାରେ ପୁରସ୍କୃତ ହୋଇଥିଲେ। ଏଥି ସହିତ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀରୁ ପୁରସ୍କୃତ ହେବା ସହ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ମଧ୍ୟ ରହିଥିଲେ।