ହିମାଚଳ ବିଧାନସଭା ନିର୍ବାଚନ: ୧ ଲକ୍ଷ ଚାକିରି ପ୍ରତିଶ୍ରୁତି ଦେଲା କଂଗ୍ରେସ

ଶିମଲା,ଏଜେନ୍ସି: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ରାଜ୍ୟରେ ମାଳ ମାଳ ପ୍ରତିଶ୍ରୁତି ବର୍ଷା କରୁଛନ୍ତି ରାଜନୈତିକ ଦଳ । ଏହି କ୍ରମରେ ଶୁକ୍ରବାର କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଙ୍ଗ୍ରାଠାରେ ରାଲି କରି କହିଛନ୍ତି, ”ଆଗାମୀ ବିଧାନସଭା ନିର୍ବାଚନରେ ଯଦି କଂଗ୍ରେସ ବିଜୟୀ ହୋଇ କ୍ଷମତାକୁ ଆସେ ତେବେ ରାଜ୍ୟରେ ୧ ଲକ୍ଷ ନିଯୁକ୍ତି ପ୍ରଦାନ କରିବ ଏବଂ ପୁରୁଣା ପେନସନ ଯୋଜନା ପୁଣିଥରେ ଲାଗୁ କରିବ । ଏହାସହିତ କଂଗ୍ରେସ ହିମାଚଳ ପ୍ରଦେଶର ପ୍ରତ୍ୟେକ ମହିଳାଙ୍କୁ ୧୫୦୦ ଟଙ୍କାର ଆର୍ଥିକ ସହାୟତା ଦେବ ।”

ହିମାଚଳରେ ପ୍ରିୟଙ୍କା କଂଗ୍ରେସର ପ୍ରଚାର ମଙ୍ଗ ଧରିଛନ୍ତି । ଶୁକ୍ରବାର ସେ କଙ୍ଗ୍ରାଠାରେ ରାଲି ସମୟରେ ୧ ଲକ୍ଷ ନିଯୁକ୍ତିର ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ସରକାର ଆସିଲେ ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଇଂରାଜୀ ମିଡିୟମ ସ୍କୁଲ ତିଆରି କରିବ ବୋଲି ମଧ୍ୟ କହିଛନ୍ତି । ଏହାବ୍ୟତୀତ ରାଲିରେ କଂଗ୍ରେସ ନେତ୍ରୀ ବିଜେପିକୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି । ସେ କହିଛନ୍ତି, ବିଜେପି ଶାସନ ଅଧିନରେ ରାଜ୍ୟ ଋଣରେ ବୁଡି ରହିଛି । ରାଜ୍ୟରେ ୬୩ ହଜାର ସରକାରୀ ପଦବୀ ଫାଙ୍କା ପଡିଛି ।

ଛତିଶଗଡ ଓ ରାଜସ୍ଥାନର ଉଦହାରଣ ଦେଇ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ”ଏହି ଦୁଇ ରାଜ୍ୟ ଭଳି ଦଳ ହିମାଚଳ ପ୍ରଦେଶରେ ନିଜର ସବୁ ପ୍ରତିଶ୍ରୁତି ପୂରଣ କରିବ । କଂଗ୍ରେସ ୧ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ । ଛତିଶଗଡରେ ଭୂପେଶ ବାଘେଲ ସରକାର ୩ ବର୍ଷରେ ୫ ଲକ୍ଷ ଚାକିରି ପ୍ରଦାନ କରିଛନ୍ତି । ରାଜସ୍ଥାନରେ ମଧ୍ୟ ଗେହଲଟ ସରକାର ୧.୩୦ ଲକ୍ଷ ନିଯୁକ୍ତି ଦେଇଛନ୍ତି ।”

ଆହୁରିମଧ୍ୟ ସେ କହିଛନ୍ତି, “ଆଜି ଛତିଶଗଡରେ ବେରୋଜଗାର ହାର କମ୍ । ହିମାଚଳରେ କଂଗ୍ରେସ କ୍ଷମତାକୁ ଆସିଲେ ଏହାର ପ୍ରଥମ କ୍ୟାବିନେଟ ବୈଠକରେ ୧ ଲକ୍ଷ ନିଯୁକ୍ତି ପ୍ରଦାନ ପାଇଁ ନିଷ୍ପତ୍ତି ନେବ । ୫ ବର୍ଷ ମଧ୍ୟରେ ୫ ଲକ୍ଷ ଚାକିରି ଦେବାକୁ ଆମେ ଚେଷ୍ଟା କରିବୁ । ଏହାବ୍ୟତୀତ ପ୍ରଥମ କ୍ୟାବିନେଟ ବୈଠକରେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରାଯିବା ସହ ମହିଳାଙ୍କୁ ୧୫୦୦ ଟଙ୍କା ଆର୍ଥିକ ସହୟତା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ।