ଆଜମଗଡ଼ରେ ପାକିସ୍ତାନ ଜିନ୍ଦାବାଦ ନାରା, ଦୁଇ ଗିରଫ

ଲକ୍ଷ୍ନୌ,ଏଜେନ୍ସି: ଆଜମଗଡ଼ରେ ପାକିସ୍ତାନ ଜିନ୍ଦାବାଦ ନାରା । ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ପଡ଼ିଲା ପାକିସ୍ତାନ ଜିନ୍ଦାବାଦ ନାରା । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଆଜମଗଡ଼ ଜିଲ୍ଲାର ବୋଲି କୁହାଯାଉଛି । ସୂଚନା ମୁତାବକ ଜାହାନଗଞ୍ଜ ଇଲାକାରେ ଏକ ସ୍ଥାନୀୟ ରାଜନୈତିକ ଦଳର ସମାବେଶ ଆୟୋଜିତ ହୋଇଥିଲା । ଏହି ସମାବେଶରେ ପାକିସ୍ତାନ ଜିନ୍ଦାବାଦ ନାରା ଲାଗିଥିବା ନେଇ ଅଭିଯୋଗ ହୋଇଛି ।

ଆୟୋଜିତ ହୋଇଥିବା ସମାବେଶରେ ସ୍ଥାନୀୟ ରାଜନୈତିକ ଦଳର ଅନେକ କର୍ମୀ ସାମିଲ ହୋଇଥିଲେ । ସମାବେଶରେ ଦଳର ସଭାପତି ଚୟନ କରାଯାଉଥିଲା । ସମାବେଶ ପରେ ସ୍ଥାନୀୟ ଗଳିରେ ଶୋଭାଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ରାରେ ରାଜନୈତିକ ଦଳର କର୍ମୀ ପାକିସ୍ତାନ ଜିନ୍ଦାବାଦର ନାରାବାଜୀ ଦେଇଥିଲେ । ଆଗେ ଆଗେ ନେତାଜୀ ଚାଲୁଥିବା ବେଳେ ପଛେପଛେ କର୍ମୀ ଏଭଳି ନାରାବାଜୀ କରୁଥିଲେ ।

ସେପଟେ ଏହି ଭିଡିଓ ସମ୍ପର୍କରେ ଜାଣିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସମାବେଶ ଆୟୋଜନ କରିଥିବା ଦୁଇଜଣ ନେତାଙ୍କୁ ଗିରଫ କରିଛି ପୋଲିସ । ତାସହିତ ଭିଡିଓକୁ ଫରେନ୍ସିକ ଯାଞ୍ଚ ପାଇଁ ପଠା ଯାଇଛି । ଦୁଇ ଗିରଫ ଅଭିଯୁ୍କ୍ତ ହେଉଛନ୍ତି ଖୁର୍ସିଦ ଅହମ୍ମଦ ଓ ଶିବ୍ଲି ପହିଲବାନ । ଏମାନଙ୍କ ବିରୋଧରେ ଦେଶ ବିରୋଧୀ ଧାରା ଲାଗିଛି ।