ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରଚେଷ୍ଟାରେ ଏକାଠି ହେଲେ ପରିବାର

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ବର୍ଷ ବର୍ଷ ଧରି ଚାଲିଥିବା ଜମି ବିବାଦକୁ ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମାଧାନ କରିଛି । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଗ୍ରାମର ଦରଖାସ୍ତକାରୀ ସୁଜାତା ମାଝୀ ବହୁ ଦିନର ଜମି ସଂକ୍ରାନ୍ତୀୟ ବିବାଦ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣଠାରେ ଆବେଦନ କରିଥିଲେ । ଉକ୍ତ ଦରଖାସ୍ତଟି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଜନକ ରାଉତଙ୍କ ନଜରକୁ ଆସିଥିଲା ଓ ସେ ସମସ୍ୟାଟିକୁ ଗୁରୁତର ସହ ଗ୍ରହଣ କରି ଉଭୟ ପକ୍ଷଙ୍କୁ ନୋଟିସ କରି ଡକାଇଥିଲେ । ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ତତ୍ୱାବଧାନ ଏବଂ କନସିଲେଏଟର ସୁବାଶ ଚନ୍ଦ୍ର ପାଳ ଓ ମନୋରମା ମାଝୀ ଉଭୟ ପକ୍ଷଙ୍କୁ ବୁଝାଇ ଅପୋଷ ମିଳାମିଶା କରାଇଥିଲା । ଶେଷରେ ଉଭୟ ପକ୍ଷ ଅପୋଷ ମିଳାମିଶା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ । ଏଭଳି ଘଟଣାର ପୁନରାବୃତି ନ ହେବାକୁ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତଙ୍କ ପ୍ରଚେଷ୍ଟାରେ ଏମାନଙ୍କ ଭିତରେ ବହୁ ବର୍ଷ ଧରି ରହିଥିବା ବିବାଦର ଅନ୍ତ ଘଟିଛି ।