ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମରେ ସୁଦୂର ବିହାରରାଜ୍ୟ ବୈଶାଳୀ ଜିଲ୍ଲାରୁ ଆସି ଟାୟାର ରିପି୍ୟାରିଙ୍ଗ ଦୋକାନ ଖୋଲି ପରିବାର ପ୍ରତିପୋଷଣ କରୁଥିବା ମୋହମ୍ମଦ ଏଲିୟସଙ୍କ ୨୫ ବର୍ଷୀୟ ପୁଅ ମହମ୍ମଦ ସେହନୱାଜଙ୍କ ନିଖୋଜ ଘଟଣା ଦିନ ବଢିବା ସହ ପରିବାର ଲୋକଙ୍କ ମନରେ ନାନା ଆଶଙ୍କା ସୃଷ୍ଟି କରିଛି। ସୂଚନା ଅନୁଯାୟୀ ସେହନୱାଜ ଗତ ଡିସେମ୍ବର ୫ ତାରିଖ ଦିନ ଦେବଗଡ଼ ଥାନା ଅନ୍ତର୍ଗତ ବଳମ ଗ୍ରାମରେ ରହୁଥିବା ତାଙ୍କ ବନ୍ଧୁ ମୁନ୍ନା ଆନସାରୀଙ୍କ ସହ କଟକ ବୁଲିଯିବା ନେଇ ନିଜ ଭାଇଙ୍କୁ କହି ଗୋଲାବନ୍ଧରୁ ବାହାରି ଥିଲା। ମାତ୍ର ପରଦିନ ଠାରୁ ତାଙ୍କ ମୋବାଇଲ ସୁଇଚ୍ ଅଫ୍ ଥିବାବେଳେ ସେହି ଦିନଠାରୁ ତାଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ପରେ ମଧ୍ୟ କୌଣସି ସନ୍ଧାନ ନପାଇବାରୁ ବାରକୋଟ ଥାନାରେ ଗତ ଡିସେମ୍ବର ୧୪ ତାରିଖ ଦିନ ନିଖୋଜ ଯୁବକଙ୍କ ସାନ ଭାଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଘଟଣାର ଦୁଇ ମାସ ବିତିବାକୁ ବସିଥିବା ବେଳେ ଏଯାଏଁ ନିଖୋଜ ଯୁବକର କୌଣସି ସନ୍ଧାନ ନମିଳିବା ଏବଂ ସେ ଯାଇଥିବା ବନ୍ଧୁ ଫେରିଥିଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ନେଦେବା ଏବଂ ପୁଲିସ ତଦନ୍ତରେ ସହଯୋଗ କରିବା ପରିବର୍ତ୍ତେ ପୁଲିସ ଥାନାକୁ ଡାକିବା ଦିନ ଠାରୁ ଗତ ଡିସେମ୍ବର ୧୮ ତାରିଖରୁ ସେ ମଧ୍ୟ ଫେରାର ହେବା ଘଟଣାକୁ ଅଧିକ ସନ୍ଦେହ ଘେରକୁ ଟାଣି ଆଣିଛି। ଅନ୍ୟପକ୍ଷରେ ପରିବାରର ରୋଜଗାରିଆ ସଦସ୍ୟଙ୍କ ନିଖୋଜ ପରେ ପରିବାର ଲୋକେ ବିଭିନ୍ନ ଆଶଙ୍କା ଦେଇ ଗତି କରୁଥିବା ବେଳେ ନ୍ୟାୟ ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ନିକଟରେ ଗୁହାରି କରିଚାଲିଥିବା ନିଖୋଜ ଯୁବକଙ୍କ ଭାଇ ମହମ୍ମଦ ସେହୱାଜ ଅଭିଯୋଗ କରିଛନ୍ତି।