ଆନ୍ତ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ କେସିଙ୍ଗା ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କୃତିତ୍ୱ

କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆନ୍ତ ଜିଲ୍ଲା ବିଶ୍ୱବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ମହାବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ଚଳିତ ମାସ ୩ ଓ ୪ ତାରିଖ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ୨୦୨୩ ଖରିଆର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେସିଙ୍ଗା ମହାବିଦ୍ୟାଳୟର ଛାତ୍ର ପିତାମ୍ବର ବୁଡେକ ୧୦୦ ମିଟରରେ ପ୍ରଥମ, ଟ୍ରିପଲ ଜମ୍ପ ଓ ପୁଟିଙ୍ଗ ଦି ସଟ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନୁନେଶ କୁମାର ଭୋଇ ୨୦୦ ମିଟର ଦୌଡରେ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି।

ସେହିପରି ପିତାମ୍ବର ବୁଡେକ, ଦିନେଶ ନାଏକ ନୁନେଶ ଭୋଇ ଓ ଖଗେଶ୍ବର ମାଝୀ ରିଲେ ରେସରେ ଚାମ୍ପିଅନ୍‌ ହୋଇଥିବା ବେଳେ ବାଳକ ବର୍ଗରେ କେସିଙ୍ଗା ମହାବିଦ୍ୟାଳୟ ଚାମ୍ପିଅନ୍‌ ହୋଇ ମହାବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏହି କ୍ରୀଡା ପ୍ରତିଯୋଗିତାରେ କେସିଙ୍ଗା ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଅଶ୍ୱିନୀ ପାଇକରାୟ ନେତୃତ୍ୱରେ ଛାତ୍ରଛାତ୍ରୀ ମାନେ କୃତିତ୍ୱ ହାସଲ କରିଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢୀ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାସହିତ ଆଗାମୀ ଦିନରେ କେସିଙ୍ଗା ମହାବିଦ୍ୟାଳୟ କ୍ରୀଡା କ୍ଷେତ୍ରରେ ଆହୁରି ଉନ୍ନତି କରି ମହାବିଦ୍ୟାଳୟ ପାଇଁ ଗୌରବ ଅର୍ଜନକରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ କରିଛନ୍ତି।