କରୋନା କଟକଣା ଯୋଗୁ ପନିପରିବା ଚାଷୀ ହନ୍ତସନ୍ତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପନିପରିବା ଚାଷୀଙ୍କ ପାଇଁ କାଳ ସାଜିଛି କରୋନା କଟକଣା। ତାଲାବନ୍ଦ ଯୋଗୁ ବଜାର ଠିକ ଭାବରେ ଖୋଲୁନାହିଁ କି ବେପାରୀ ଘରକୁ ଆସି ପନିପରିବା ନେଉ ନାହାନ୍ତି। ଅନ୍ୟପଟେ ଗତ କିଛିଦିନ ମଧ୍ୟରେ ହୋଇଥିବା ଅଦିନିଆ ବର୍ଷା ଯୋଗୁ ଶହ ଶହ ଏକରରେ ହୋଇଥିବା ପନିପରିବା ଚାଷ ପଚିବାକୁ ଲାଗିଲାଣି। ଫଳରେ କରଜ କରି ପରିବା ଚାଷ କରିଥିବା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଏବେ ଭାଙ୍ଗି ପଡ଼ିଛି।

ପ୍ରକାଶଯୋଗ୍ୟ, କରୋନା କଟକଣା ଯୋଗୁ ଏବେ ଗାଁ ଗହଳିରେ ହାଟ ବସୁନାହିଁ। ଗାଡ଼ି ଚଳାଚଳ ବି ବନ୍ଦ ରହିଛି। ତେଣୁ ଜମିରୁ ପରିବା ଉଠି ପାରୁନାହିଁ। ଏହାସହ ଓଡ଼ିଶା-ଛତିଶଗଡ଼କୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଜିଲ୍ଲା ପ୍ରଶାସନ ସିଲ କରିଦେବା ଫଳରେ ଉପାନ୍ତ ଅଂଚଳ ଧୂଲୁଣ୍ଡା, ମୁହୁଦି, ଶରଧା, ତିଲଗି, କଣ୍ଡେଇକେଲା ପରି ଅନେକ ଗ୍ରାମର ଚାଷୀ ଛତିଶଗଡ଼ ମଣ୍ଡିକୁ ଯାଇ ନିଜ ଉତ୍ପାଦିତ ଫସଲ ବିକ୍ରି କରି ପାରୁନହାନ୍ତି। ଅନ୍ୟପଟେ ଝାରସୁଗୁଡ଼ା ଜିଲ୍ଲାରେ ପନିପରିବା ରଖିବା ପାଇଁ ସରକାରୀ ଶୀତଳ ଭଣ୍ଡାରଟିଏ ନାହିଁ କି ଉପଯୁକ୍ତ ମୂଲ୍ୟରେ ବିକ୍ରି କରିବା ପାଇଁ ମଣ୍ଡିର ବ୍ୟବସ୍ଥା ନାହିଁ। ଫଳରେ ଚାଷୀମାନେ ନିଜ ଉତ୍ପାଦିତ ଶସ୍ୟକୁ ବିକ୍ରି କରିପାରୁ ନାହାନ୍ତି କି ସୁରକ୍ଷିତ ରଖି ପାରୁନାହାନ୍ତି। କେବଳ ନିଜର ଉତ୍ପାଦିତ ସୁନାର ଫସଲ ନଷ୍ଟ ହେଉଥିବାରୁ ଭାଗ୍ୟକୁ ନିନ୍ଦୁଛନ୍ତି ବୋଲି ଧୁଲୁଣ୍ଡା ଗ୍ରାମର ଚାଷୀ ଉପେନ୍ଦ୍ର ବିଶ୍ୱାଳ କହିଛନ୍ତି। ତେଣୁ ଏହି ପରିବା ଚାଷୀଙ୍କୁ ସରକାର ସହଯୋଗର ହାତ ବଢ଼ାଇବା ସହ ମଣ୍ଡି ଏବଂ ଶୀତଳ ଭଣ୍ଡାରର ବ୍ୟବସ୍ଥା କରନ୍ତୁ ନଚେତ ଝାରସୁଗୁଡ଼ା ଜିଲ୍ଲାରେ ଚାଷ ଓ ଚାଷୀ ଲୋପ ପାଇଯିବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।