ମନ୍ତ୍ରୀଙ୍କ ରାଲିରେ ବିଜେପି-ବିଜେଡି ମୁହାଁମୁହିଁ, କ୍ରୀଡାମନ୍ତ୍ରୀ ହଟହଟା ଜିଲ୍ଲାରାଜ୍ୟ By Nitidin On Feb 12, 2022 Share ପୁରୀ,ଏନ୍ଏନ୍ଏସ୍: ତିନି ଦିନ ପରେ ପଞ୍ଚାୟତ ଫାଇଟ୍। କ୍ଷମତା ଦଖଲ ପାଇଁ ଶାସକ ଓ ବିରୋଧୀ ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର। ମୈଦାନରେ ପ୍ରଚାର କରୁଛନ୍ତି ହେଭିୱେଟ୍ ନେତା। ନିର୍ବାଚନ ଯେତିକି ପାଖଉଛି, ନିର୍ବାଚନୀ ହିଂସା ସେତିକି ବଢୁଛି। ବିଶେଷକରି ଅନେକ ସମୟରେ ବିଜେଡି ଓ ବିଜେପି ମୁହାଁମୁହିଁ ହେଉଥିବାର ଦେଖାଯାଉଛି। ଶୁକ୍ରବାର ରାଜ୍ୟ କ୍ରୀଡାମନ୍ତ୍ରୀଙ୍କ ନିର୍ବାଚନୀ ରାଲିରେ ମଧ୍ୟ ଏଭଳି ଉତ୍ତେଜନା ପ୍ରକାଶ ପାଇଛି। ପୁରୀ ଜିଲ୍ଲା କାକଟପୁର ବ୍ଳକ କୁଣ୍ଢେଇ ପଞ୍ଚାୟତରେ ମନ୍ତ୍ରୀ ରାଲି କରୁଥିବାବେଳେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ସୂଚନା ଅନୁଯାୟୀ, ବିଜେପି ପ୍ରଚାର ଗାଡିକୁ ବିଜେଡି ପ୍ରଚାର ଗାଡି ନ ଛାଡିବାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। କୁଣ୍ଢେଇ ପଞ୍ଚାୟତ ଡିହପାଟଣା ଗ୍ରାମ ଭିତରେ ବିଜେପି ପ୍ରଚାର ଗାଡି ଆସୁଥିଲା। ହେଲେ ଗାଡିକୁ ବାଟ ଛାଡିନଥିଲା ଶାସକ ଦଳର ପ୍ରଚାର ଗାଡି। ଫଳରେ ଦୁଇ ଦଳୀୟ କର୍ମୀ ମୁହାଁମୁହିଁ ହୋଇଥିଲେ। ଯେଉଁ କାରଣରୁ ଉପସ୍ଥିତ ଥିବା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ କାକଟପୁର ବରିଷ୍ଠ ନେତାମାନଙ୍କୁ ହଟହଟା ହେବାକୁ ପଡିଥିଲା। Share