ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଡିସିପିଙ୍କୁ ଦାବିପତ୍ର

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀରେ ଗଣଦୁଷ୍କର୍ମ ଘଟଣାରେ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଡିସିପିଙ୍କୁ ଭେଟିଛନ୍ତି। ୪୮ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ହୋଇଥିବା ନାବାଳିକାକୁ ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାକୁ ସେ ଦାବି କରିଛନ୍ତି।
ମହିଳା କଂଗ୍ରେସ ଅଭିଯୋଗ କରିଛି ଯେ, ଏକ ପ୍ରତିଷ୍ଠିତ ଘରୋଇ ନ୍ୟୁଜ ଚ୍ୟାନେଲର କର୍ମଚାରୀ ଓ ପୁଲିସ କର୍ମଚାରୀ ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ। ଏମାନେ ରକ୍ଷକ ହୋଇ ଭକ୍ଷକ ସାଜିଛନ୍ତି। ଏଣୁ ଏଭଳି ଏକ ଦୃଷ୍ଟାନ୍ତ ପଦକ୍ଷେପ ପୁଲିସ ଗ୍ରହଣ କରୁ ଯାହା ସାରା ଦେଶରେ ଓଡ଼ିଶା ପୁଲିସ ଉଦାହରଣ ହେବ। କାରଣ ସାରା ବିଶ୍ୱ ଯେତେବେଳେ କୋଭିଡ୍ ଭୂତାଣୁ କବଳରେ କବଳିତ ହୋଇ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି, ସେହି ତାଲା ବନ୍ଦ ସମୟରେ ଏମାନେ ରକ୍ଷକ ହୋଇ ଭକ୍ଷକ ସାଜିଥିଲେ। ଏମାନଙ୍କୁ ତୁରନ୍ତ ଗିରଫ କରନ୍ତୁ, ନଚେତ୍ ଆଗାମୀ ଦିନରେ ମହିଳା କଂଗ୍ରେସ କର୍ମୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ଶ୍ରୀୟାସ୍ମିତା ପଣ୍ଡା, ଲକ୍ଷ୍ମୀପ୍ରିୟା ଦାସ, ଲିତିକା ବାରିକ, ବନଲତା ବାରିକ, ନମିତା ମହାନ୍ତି, ଅନୁସୂୟା ରାୟ ପ୍ରମୁଖ ଡିସିପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।