ଦେବଗଡ଼,ଏନ୍ଏନ୍ଏସ୍: ଦେଶୀ ମଦଭାଟି ମାଲିକଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଦେବଗଡ଼ ଅବକାରୀ ଅଧିକ୍ଷକ ଅଜିତ କୁମାର ମହାପାତ୍ର ଓ ବିଭାଗୀୟ ଏଏସଆଇ ମଥୁରା ମୋହନ ପ୍ରଧାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏହାପୂର୍ବରୁ ଡାକ୍ତରୀ ପରୀକ୍ଷା ପାଇଁ ଆଜି ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିବାବେଳେ ସେମାନଙ୍କୁ ଦେଖିବାକୁ କିଛି ସମୟ ପାଇଁ ଗହଳି ଆରମ୍ଭ ହୋଇଥିଲା। ସେଥିପାଇଁ ୧୦ଜଣିଆ ଭିଜିଲାନ୍ସ ଟିମ୍ ସେମାନଙ୍କୁ ସୁରକ୍ଷା ବଳୟ ମଧ୍ୟରେ କୋଭିଡ ଟେଷ୍ଟ ସ୍ଥାନକୁ ନେଇ ପରୀକ୍ଷା କରାଇବା ସହ ମୁଖ୍ୟ ଚିକିତ୍ସାଳୟରରେ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପରେ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଯାଇଥିଲେ। ସେଠାରେ ଆବଶ୍ୟକ କାଗଜ ପତ୍ର ପ୍ରସ୍ତୁତ ପରେ ସମ୍ବଲପୁରସ୍ଥିତ ଭିଜିଲାନ୍ସ କୋର୍ଟ ଅଭିମୁଖେ ବାହାରିଥିଲେ। ସନ୍ଧ୍ୟା ସୁଦ୍ଧା ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଗତକାଲି ଅଭିଯୁକ୍ତଙ୍କ ଘରେ ଚଢ଼ଉ ପରେ ମିଳିଥିବା ସମ୍ପତ୍ତିର ଆକଳନ କାର୍ଯ୍ୟ ସରିନଥିବା ଏସପି ସାରା ଶର୍ମାଙ୍କଠାରୁ ସୂଚନା ମିଳିଛି।