ଅବକାରୀ ଗୁଇନ୍ଦା ବିଭାଗର ଚଢ଼ଉରେ ମଦ ଜବତ,୨ ଗିରଫ

ଜୟପୁର,ଏନ୍ଏନ୍ଏସ୍: ବ୍ରହ୍ମପୁରରୁ ଆସିଥିବା ଅବକାରୀ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଟିମ୍ ବୁଧବାର ବୋରିଗୁମ୍ମା ବ୍ଲକର କାମତା ଓ ବେଣାଗାଁରେ ଚଢ଼ଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରି ୨ଜଣଙ୍କୁ ଗିରଫ କରିଛି। ଅବକାରୀ ଡେପୁଟି କମିଶନରଙ୍କ ନିର୍ଦ୍ଦେଶକ୍ରମେ ସବଇନ୍ସପେକ୍ଟର ବିଶ୍ୱଜିତ ଦାଶ ଏବଂ ସଞ୍ଜୟ କୁମାର କାଣ୍ଡିଙ୍କ ନେତୃତ୍ୱରେ ଗଠିତ ୧୫ଜଣିଆ ଟିମ୍ କାମତା ଓ ବେଣାଗାଁରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ୨୩୯.୪୦୦ ଲିଟର ବିଅର୍, ୫୩.୨୮୦ ଲିଟର ବିଦେଶୀ ମଦ ଜବତ କରାଯାଇଥିବା ସବଇନ୍ସପେକ୍ଟର ବିଶ୍ୱଜିତ ଦାଶ ସୂଚନା ଦେଇଛନ୍ତି। ସେହିପରି କାମତାରେ ସଞ୍ଜୟ ମାଝୀଙ୍କ ଘରେ ଚଢ଼ଉ କରାଯାଇ ୨୮୦ ଲିଟର ଦେଶୀ ମଦ ଜବତ କରାଯାଇ ଥିବାବେଳେ ବେଣାଗାଁର ଧନୁର୍ଜୟ ପେଣ୍ଠିଆଙ୍କ ଘରେ ଚଢ଼ଉ କରି ଗୁଇନ୍ଦା ଟିମ୍ ୧୨୧ ଲିଟର ଦେଶୀ ମଦ ଜବତ କରିଥିବା ଜଣାପଡ଼ିଛି। ସଞ୍ଜୟ ମାଝୀ ଓ ଧନୁର୍ଜୟ ପେଣ୍ଠିଆକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।