ଅଜଣା ଗାଡ଼ି ଧକ୍କାରେ କାର ଆରୋହୀ ମୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ପୂର୍ଣ୍ଣ-କୁମୁଡ଼ାପାଲି ରାସ୍ତା ୪୯ ନମ୍ବର ଜାତୀୟ ରାଜପଥରେ ଏକ କାରକୁ ଅଜଣା ଗାଡ଼ି ଧକ୍କା ଦେବାରୁ କାର ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ବ୍ରଜରାଜନଗରର ଶଙ୍କର ଦେଓ ବୋଲି ପୁଲିସ ସୂଚନା ଦେଇଛି। ମିଳିଥିବା ରିପୋର୍ଟ ମୁତାବିକ, ବ୍ରଜରାଜନଗର ଲମଟିବାହାଲର ଶ୍ରବଣ ରାୟଙ୍କ ନାମରେ ଥିବା ହୁଣ୍ଡାଇ ଆଇ ୨୦ କାର ନେଇ କାର ଡ୍ରାଇଭର ଶଙ୍କର ଦେଓ କୌଣସି କାମରେ ଶିରିଆପାଲିକୁ ଯାଇଥିଲେ। ସେଠାରୁ ସେ ଝାରସୁଗୁଡ଼ା ପଟକୁ ଫେରୁଥିବାବେଳେ ପୂର୍ଣ୍ଣା-କୁମୁଡ଼ାପାଲି ରାସ୍ତାରେ ଏକ ଅଜଣା ଗାଡ଼ି କାରଟିକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ କାରର ଆଗପଟ ଚୁରମାର ହୋଇଯିବା ସହ ଶଙ୍କର କାର ଭିତରେ ଫସି ଯାଇଥିଲେ। ପରେ ସ୍ଥାନୀୟ ଲୋକ ଓ ପୁଲିସ ଶଙ୍କରକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଝାରସୁଗୁଡ଼ା ଟାଉନ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବା ପାଇଁ ଆଖପାଖ ଅଞ୍ଚଳର ସିସି ଟିଭି ଯାଞ୍ଚ କରୁଛି।