ଅବକାରୀ ବିଭାଗର ଚଢ଼ଉ, ବିପୁଳ ପରିମାଣର ମହୁଲି ମଦ ଜବତ ଓ ପୋଚ ନଷ୍ଟ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ସଦର ଅବକାରୀ ଅଧିକ୍ଷକ ନିମାଇଁ ଚରଣ ସ୍ୱାଇଁ, ଘଟଗାଁ ଅବକାରୀ ନିରୀକ୍ଷକ କୃଷ୍ଣଚନ୍ଦ୍ର ପରିଡା ଓ ପାଟଣା ଅବକାରୀ ଅଧିକାରୀ ଦିଲ୍ଲୀପ କୁମାର ତାଣ୍ଡି ବୁଧବାର ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ହୀରାପଶି ସାହାରପଡା ବ୍ଲକ ଭାଲିଆଡିହା ଗ୍ରାମରେ ଚଢ଼ଉ କରି ମହୁଲି ପୋଚକୁ ନଷ୍ଟ କରିବା ସହ ବିପୁଳ ପରିମାଣର ମହୁଲି ମଦ ଜବତ କରିଛି। ଏଥିସହ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ କରାଯାଇଛି। ମାଜିଷ୍ଟ୍ରେଟ ଭାବରେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କ ସମେତ ଏକ ପ୍ଲାଟୁନ ପୁଲିସ ଉପସ୍ଥିତିରେ ଅବକାରୀ ବିଭାଗ ମହୁଲ ପୋଚ ନଷ୍ଟ କରିଛି।

ପ୍ରକାଶ ଥାଉକି ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତର ହୀରାପଶି ଗ୍ରାମରେ ମହୁଲି ମଦ ତିଆରି ଏକ କୁଟୀର ଶିଳ୍ପରେ ପରିଣତ ହୋଇଛି। କିଛି ମାସ ପୂର୍ବରୁ ଉକ୍ତ ଗ୍ରାମକୁ ଅବକାରୀ ଓ ତୁରୁମୁଙ୍ଗା ପୁଲିସ ଚଢ଼ଉ କରିଥିବା ବେଳେ ମଦ ତିଆରି କରୁଥିବା ମାଫିଆ ମାନଙ୍କୁ ଏକଜୁଟ ଦେଖି ଉଭୟ ବିଭାଗର କର୍ମଚାରୀ ଛତ୍ରଭଙ୍ଗ ଦେଇ ପଳାଇ ଆସିଥିଲେ।