ପେଟ୍ରୋଲ, ଡିଜେଲ ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଦରବୃଦ୍ଧି ବିରୋଧରେ ପ୍ରତିବାଦ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପେଟ୍ରୋଲ, ଡିଜେଲ ତଥା ନିତ୍ୟବ୍ୟବହାର୍ଯ୍ୟ ଜିନିଷର ବର୍ଦ୍ଧିତ ଦର ବିରୋଧରେ ସିପିଆଇ ପକ୍ଷରୁ ଝାରସୁଗୁଡ଼ାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିପିଆଇ ପକ୍ଷରୁ କୁହାଯାଇଛି ଯେ, ପଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୧୦୦ ଟଙ୍କା ଛୁଇଁ ଥିବାବେଳେ ଖାଇବା ତେଲର ଦର ବିଗତ ୬ ମାସରେ ୮୦ ପ୍ରତିଶତ ବୃଦ୍ଧି ପାଇଲାଣି। ଫଳରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କରୋନା ପରି ମହାମାରୀ ସମୟରେ ଲୋକେ ରୋଜଗାର ହରାଇଥିବାବେଳେ ଏହି ଦରଦାମ ବୃଦ୍ଧି ତାଙ୍କ ଉପରେ ଦାଉ ସାଜୁଛି। ତେଣୁ ଦେଶବାସୀଙ୍କ ସୁବିଧା ପାଇଁ ପେଟ୍ରୋଲ, ଡିଜେଲ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ହ୍ରାସ, କଳାବଜାରୀ ଉପରେ ରୋକ ଲଗାଇବା, ପ୍ରତି ପରିବାରକୁ ମୁଣ୍ଡ ପିଛା ୧୦କେଜି ଚାଉଳ, ଗହମ, ଖାଇବା ତେଲ, ଡାଲି ଆଦି ରାସନ ମାଗଣାରେ ଯୋଗାଇବା, ଆୟକର ପରିସର ବାହାରେ ଥିବା ସମସ୍ତ ପରିବାରଙ୍କୁ ମାସିକ ୭ହଜାର ୫ଶହ ଟଙ୍କା ପ୍ରଦାନ କରିବା ଓ ରାଜ୍ୟ ସରକାର ଅନୁନ୍ୟ ୧୦ ଟଙ୍କା ଡିଜେଲ ଓ ପେଟ୍ରାଲ ଉପରୁ ଟିକସ ଛାଡ଼ କରନ୍ତୁ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି। ଆଜିର ଏହି ଆନ୍ଦୋଳନକୁ ସିପିଆଇ, ସିପିଆଇଏମ୍, ସିପିଆଇଏମଏଲ୍ ଲିବରେସନ ଓ ଆରଏସପି ପକ୍ଷରୁ ସମର୍ଥନ କରାଯାଇଛି।