ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଆଜି ବିଜେପିରେ ସାମିଲ ହୋଇଛନ୍ତି । ରେଡ୍ଡୀ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ବିଜେପି ରାଷ୍ଟ୍ରୀୟ ସଚିବଅରୁଣ ସିଂହ ଓ ପାର୍ଟି ମୁଖ୍ୟ ପ୍ରବକ୍ତା ଅରୁଣ ବଲୁନୀଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ଅବସରରେ ରେଡ୍ଡୀ କଂଗ୍ରେସକୁ ଟାର୍ଗେଟ କରିବା ସହ କାହିଁକି ପାର୍ଟି ଛାଡ଼ିଲେ ସେସମ୍ପର୍କରେ କହିଛନ୍ତି ।
କଂଗ୍ରେସର ପୂର୍ବତନ ନେତା କିରଣ କୁମାର ରେଡ୍ଡୀ କହିଛନ୍ତି ଯେ, କଂଗ୍ରେସ ଛାଡ଼ିବାକୁ ପଡ଼ିବ ବୋଲି ମୁଁ କେବେ ବି ଭାବି ନଥିଲି । କଥାରେ ଅଛି, ମୋ ରାଜା ବୁଦ୍ଧିମାନ କିନ୍ତୁ ସେ ନିଜର କୌଣସି କଥା ବିଚାର କରନ୍ତିନି । ସେ କାହାରି ପରାମର୍ଶ ମଧ୍ୟ ମାନନ୍ତିନି । ଆପଣ ସମସ୍ତେ ବୁଝିସାରିଥିବେ କି ମୁଁ କ’ଣ କହିବାକୁ ଚାହୁଁଛି ।
କିରଣ କୁମାର ରେଡ୍ଡୀ ଆହୁରି କହିଛନ୍ତି ଯେ, କଂଗ୍ରେସ ପାର୍ଟି ଲୋକଙ୍କ ମତ ବୁଝିପାରୁନି । କଂଗ୍ରେସ ପାର୍ଟି ନିଜ ଭୁଲର ବିଶ୍ଳେଷଣ କରିପାରୁନି କି କରିବାକୁ ଚାହୁଁନି । ସେମାନେ ଭାବୁଛନ୍ତି ଆମେ ଠିକ୍ ଭାବୁଛୁ ଆଉ ଜନତା ସମେତ ବାକି ସମସ୍ତେ ଭୁଲ ଭାବୁଛନ୍ତି । ଏହି ବିଚାରଧାରା ଯୋଗୁ ମୁଁ ପାର୍ଟି ଛାଡ଼ିବାକୁ ନିଷ୍ପତ୍ତି ନେଲି ।