ଏଟିଏମ୍ କାର୍ଡର ଯୁଗ ଶେଷ

ନୂଆଦିଲ୍ଲୀ,ଏଜେନ୍ସି: ଦେଶ ଧୀରେ ଧୀରେ ଡିଜିଟାଲ ହେବାକୁ ଯାଉଥିବା ବେଳେ ଏଣିକି ଏଟିଏମ କାର୍ଡର ଯୁଗ ଶେଷ ହେବାକୁ ଯାଉଛି। ଶୁକ୍ରବାର ଆର୍‌ବିଆଇର ମନିଟାରୀ ପଲିସି ବୈଠକରେ ଏମିତି କିଛି ନିଷ୍ପତ୍ତି ନିକଆଯାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ମନିଟାରୀ ପଲିସି ବୈଠକରେ ଏମିତି କିଛି ନିଷ୍ପତ୍ତି ନିଆଯାଇଛି। ଏଣିକି ଦେଶର ସମସ୍ତ ଏଟିଏମରେ ମିଳିବ କାର୍ଡଲେସ୍ ଟଙ୍କା ଉଠାଇବାର ସୁବିଧା।

ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍‌(ୟୁପିଆଇ)ର ବ୍ୟବହାରରେ ଗ୍ରାହକଙ୍କୁ ଏହି ସୁବିଧା ମିଳିବ ବୋଳି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରକାଶ କରିଛନ୍ତି। ୟୁପିଆର ବ୍ୟବହାର କରି ଏଟିଏମରୁ ନଗଦ ଅର୍ଥ ଉଠାଣ ଉପରେ ଶକ୍ତିକାନ୍ତ ଦାସ ଏହି ବୈଠକରେ ପ୍ରସ୍ତାବ ଦେଇଥିଲେ। ଏହାକୁ ସହମତି ପ୍ରଦାନ କରାଯିବା ସହିତ ଏନ୍‌ପିସିଆଇ, ଏଟିଏମ୍ ନେଟୱର୍କ ଏବଂ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ପ୍ରଦାନ କରାଯିବ ବୋଲି ଜଣାପଡିଛି।

କାର୍ଡଲେସ୍ ଦେଣନେଣ ଦ୍ୱାରା କାର୍ଡ କ୍ଲୋନିଂ ଦ୍ୱାରା କରାଯାଉଥିବା ଆର୍ଥିକ ହେରଫେରରୁ ମଧ୍ୟ ମୁକ୍ତି ମିଳିପାରିବ ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଏହି ସେବା କିଛି ନିର୍ଦ୍ଧାରିତ ବ୍ୟାଙ୍କ ପ୍ରଦାନ କରୁଛନ୍ତି। ଏସ୍‌ବିଆଇ ପକ୍ଷରୁ ୟୋନୋ ଆପ୍ ଜରିଆରେ ଏହି ସୁବିଧା ପ୍ରଦାନ କରାଯାଉଛି। ଏହି ସ୍ଥିତି ସମୀକ୍ଷା କରିବା ପାଇଁ ଆରବିଆଇ ପକ୍ଷରୁ ଏକ କମିଟି ମଧ୍ୟ ଗଠନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।