ଇଂଲଣ୍ଡ ଟେଷ୍ଟ୍ ଦଳକୁ ଫେରିଲେ ଆଣ୍ଡରସନ୍

ଲଣ୍ଡନ,ଏଜେନ୍ସି : ଇଂଲଣ୍ଡର ପ୍ରମୁଖ ପେସର୍ ଜେମ୍ସ ଆଣ୍ଡରସନ୍ ଟେଷ୍ଟଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆସନ୍ତା ୨୬ରୁ ଆରମ୍ଭ ହେଉଥିବା ଦଳର ସାଉଥ୍ ଆଫ୍ରିକା ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ସକାଶେ ତାଙ୍କୁ ଇଂଲଣ୍ଡ ଦଳରେ ସାମିଲ୍ କରାଯାଇଛି। ଗତ ଅଗଷ୍ଟରେ ଇଂଲଣ୍ଡର ଏହି ସର୍ବଶ୍ରେଷ୍ଠ ଟେଷ୍ଟ୍ ବୋଲର୍ ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ଟେଷ୍ଟ୍ ବେଳେ ଆହତ ହୋଇ ଅଦ୍ୟାବଧି ପଡ଼ିଆରୁ ଦୂରେଇ ରହିଥିଲେ।

ତେଣୁ ୩୭ ବର୍ଷୀୟ ଆଣ୍ଡରସନ୍ ଇଂଲଣ୍ଡର ନ୍ୟୁଜିଲାଣ୍ଡ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ରେ ଖେଳିପାରି ନ ଥିଲେ। କିନ୍ତୁ ଗତ ୧ ତାରିଖଠାରୁ ଦଳର ସାଉଥ୍ ଆଫ୍ରିକା ଗସ୍ତ ପାଇଁ ଆରମ୍ଭ ହୋଇଥିବା କ୍ୟାମ୍ପରେ ଆଣ୍ଡରସନ୍ ଯୋଗଦେଇଥିବା ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ କୁହାଯାଇଛି। ଦ୍ରୁତ ବୋଲର୍ ମାର୍କ ଉଡ୍ ବାମ ଆଣ୍ଠୁରେ ଆଘାତ ପାଇଥିଲେ ମଧ୍ୟ ତାଙ୍କୁ ଦଳରେ ସାମିଲ୍ କରାଯାଇଛି। ଏହାଛଡ଼ା ୱିକେଟକିପର୍ ଜନ୍ନି ବେୟାର୍ଷ୍ଟୋ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଲାଙ୍କାଶାୟର୍ ଦ୍ରୁତ ବୋଲର୍ ସାକିବ୍ ମାହମୁଦ୍ଙ୍କୁ ଦଳରୁ ବାଦ୍ ଦିଆଯାଇଛି। ଆଣ୍ଡରସନ୍ ଓ ଉଡଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ମାହମୁଦଙ୍କ ବାଦ୍ ଦିଆଯାଇଛି ବୋଲି ଇସିବି ଚୟନକର୍ତ୍ତା ଏଡ୍ ସ୍ମିଥ୍ କହିଛନ୍ତି।