ପାଣିରେ ପଡ଼ିଲା ସୂର୍ଯ୍ୟକୁମାରଙ୍କ ଶତକ; ୩ୟ ଟି-୨୦ ଜିତିଲା ଇଂଲଣ୍ଡ, ୨-୧ରେ ଭାରତ ନାଁରେ ଶୃଙ୍ଖଳା

ନଟିଂହାମ୍‌,ଏଜେନ୍ସି: ନଟିଂହାମରେ ରବିବାର ଖେଳାଯାଇଥିବା ୩ୟ ତଥା ଅନ୍ତିମ ଟି-୨୦ରେ ଭାରତ ୧୭ ରନ୍‌ରେ ପରାସ୍ତ ହୋଇଛି । ଯୁବ କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କ ଶତକ ବେକାର ଯାଇଛି । ଏଥି ସହିତ ଭାରତ ଟି-୨୦ ଶୃଙ୍ଖଳାକୁ ୨-୧ରେ ନିଜର କରିପାରିଛି । ଟସ୍ ଜିଣି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଘରୋଇ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୨୧୫ ରନ୍ କରିଥିଲେ ।

୨୧୬ ରନ୍‌ର ବିଜୟ ଲକ୍ଷ୍ୟ ପଡ଼ିଆକୁ ଓହ୍ଲାଇଥିବା ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟସ୍ତ ହୋଇଥିଲା । ଋଷଭ ପନ୍ତ ମାତ୍ର ୧ ରନ୍ ସଂଗ୍ରହ କରି ଆଉଟ ହୋଇଥିଲେ । ବିରାଟ କୋହଲି ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିଆରେ ଛିଡା ହୋଇପାରି ନଥିଲେ । ଅଧିନାୟକ ରୋହିତ ଶର୍ମାଙ୍କ ଅବସ୍ଥା ମଧ୍ୟ ବିରାଟ କୋହଲିଙ୍କ ପରି ହୋଇଥିଲା । ସ୍କୋର ୩୧ ରନ୍‌ରେ ଭାରତ ଆଗଧାଡ଼ିର ୩ ଜଣଙ୍କୁ ହରାଇ ସାରିଥିଲା । ଏହା ପରେ ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟସ ଆୟର ଭାରତୀୟ ପ୍ରଶଂସକଙ୍କ ପାଇଁ ଆଶା ସଂଚାର କରିଥିଲେ । ଏହି ୨ ଖେଳାଳି ୪ ର୍ଥ ୱିକେଟ ପାଇଁ ୧୧୯ ରନ୍‌ର ଭାଗିଦାରୀ ହୋଇପାରିଥିଲେ ।

ସୂର୍ଯ୍ୟକୁମାର ୫୫ଟି ବଲ୍ ଖେଳି ୧୧୭ ରନ୍ କରିଥିଲେ । ସେ ୧୪ଟି ଚୌକା ଓ ୬ଟି ଛକା ମାରିଥିଲେ । ଶ୍ରେୟସ ଆୟର ୨୩ଟି ବଲ ଖେଳି ୨୮ ରନ୍ କରିଥିଲେ । ଏଥିରେ ତାଙ୍କର ୨ଟି ଛକା ସାମିଲ ଥିଲା । ତେବେ ଭାରତୀୟ ଟିମ୍‌ର ଅନ୍ୟ ଖେଳାଳିମାନେ ଭଲ ଖେଳି ନଥିବାରୁ ଘରୋଇ ଟିମ୍ ଠାରୁ ପରାଜିତ ହେବାକୁ ପଡ଼ିଥିଲା ।

ଇଂଲଣ୍ଡର ପାଳିରେ ଡେୱିଡ ମଲାନ ସର୍ବାଧିକ ୭୭ ରନ୍ ସଂଗ୍ରହ କରିଥିଲେ । ସେ ୩୯ଟି ବଲ୍ ଖେଳି ୬ଟି ଚୌକା ଓ ୫ଟି ଛକା ବଳରେ ଏହି ସ୍କୋର କରିଥିଲେ । ସେହିପରି ଲିଆମ ଲିଭିଂଷ୍ଟୋନ୍ ବ୍ୟକ୍ତିଗତ ଭାବେ ୪୨ ରନ୍ କରିଥିଲେ । ସେ ୨୯ଟି ବଲ ଖେଳି ୪ଟି ଛକା ମାରି ଏହି ରନ୍ କରିଥିଲେ ।