ଇସ୍ରୋରେ ନିଯୁକ୍ତି ପାଇବେ ଅଗ୍ନିବୀର !

ଚେନ୍ନାଇ,ଏଜେନ୍ସି: କେନ୍ଦ୍ର ସରକାର ଆଣିଥିବା ସେନା ନିଯୁକ୍ତି ଯୋଜନା ‘ଅଗ୍ନିବୀର’କୁ ନେଇ ବିବାଦ ଦେଖାଯିବା ପରେ ଗୋଟିଏ ପର ଗୋଟିଏ ସଂସ୍ଥାରେ ସେମାନଙ୍କ ନିଯୁକ୍ତିକୁ ଅଗ୍ରାଧିକାର ମିଳିବାରେ ଲାଗିଛି । ପୂର୍ବରୁ ୩ ସେନା, ଅର୍ଦ୍ଧସାମରିକ ବଳ ଓ କୋଷ୍ଟଗାର୍ଡରେ ସମାନଙ୍କ ନିଯୁକ୍ତି ପାଇଁ ସଂରକ୍ଷଣ ବ୍ୟବସ୍ଥା ଘୋଷଣା ମଧ୍ୟ ସରିଛି । ଏବେ ଭାରତୀୟ ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥା (ଇସ୍ରୋ) ମଧ୍ୟ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବ। ଏନେଇ ଇସ୍ରୋ ମୁଖ୍ୟ ଏସ.ସୋମନାଥ ଗଣମାଧ୍ୟମରେ ଏପରି ପ୍ରତିକ୍ରିୟା ରଖିଛନ୍ତି ।

ଗତକାଲି (ଜୁଲାଇ ୯) କୋଇମ୍ବାଟୁର ସ୍ଥିତ କରୁଣ୍ୟ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଇସ୍ରୋ ମୁଖ୍ୟ ସୋମନାଥ । କାର୍ଯ୍ୟକ୍ରମ ପରେ ସେ ଗଣମାଧ୍ୟମରେ ଇସ୍ରୋର ଆଗାମୀ ମିଶନ ଓ ତଳିତ ବର୍ଷ ପାଇଁ ଥିବା ଏଜେଣ୍ଡା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ପ୍ରତିକ୍ରିୟା ବେଳେ ଇସ୍ରୋ ଅଗ୍ନିବୀରଙ୍କୁ ନିଯୁକ୍ତି ଦେବ କି ବୋଲି ଗଣମାଧ୍ୟମର ପ୍ରଶ୍ନରେ ଏପରି ଉତ୍ତର ରଖିଥିଲେ ସୋମନାଥ ।

ଅଗ୍ନିବୀର ଦେଶ ପାଇଁ ବେସ ଉପାଦେୟ ଯୋଜନା । ଇସ୍ରୋ ଯେପରି ଦେଶ ସୁରକ୍ଷା, ଯୋଗାଯୋଗ ଓ ମହାକାଶ ଗବେଷଣା କ୍ଷେତ୍ରକୁ ସୁଦୃଢ କରୁଛି, ଅଗ୍ନିବୀର ମଧ୍ୟ ଜାତୀୟ ସୁରକ୍ଷା ପାଇଁ ବେସ ଜରୁରୀ ବୋଲି ସେ ମତ ରଖିଥିଲେ । ସେନାରେ ଭର୍ତ୍ତି ହେବା ପରେ ସେମାନଙ୍କ ନିର୍ଦ୍ଧାରିତ କାର୍ଯ୍ୟକାଳ ଶେଷ ହେବା ପରେ ଅଗ୍ନିବୀରଙ୍କୁ ମଧ୍ୟ ଇସ୍ରୋ ନିଯୁକ୍ତି ପ୍ରଦାନ କରିବା କଥା ଚିନ୍ତା କରିପାରେ ବୋଲି ମତ ରଖିଥିଲେ ଇସ୍ରୋ ମୁଖ୍ୟ ।

ସେହିପରି ଇସ୍ରୋର ଆଗାମୀ ଭିଜନ ସମ୍ପର୍କରେ ସୂଚନା ଦେଇ ସୋମନାଥ କହିଥିଲେ, ସରକାର ମହାକାଶ ଗବେଷଣା କ୍ଷେତ୍ରରେ ସଂସ୍କାର ଚାହୁଁଛନ୍ତି । କିଛି ସଂସ୍କାରଧର୍ମୀ ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯାଇଛି । ୨୦୨୨ ସ୍ପେସ ପଲିସି ଅନୁସାରେ, ମହାକାଶ ବଗେଷଣା କ୍ଷେତ୍ରକୁ ସୀମିତ ନରଖି ଘରୋଇ ଉଦ୍ୟୋଗକୁ ଅବସର ଦେବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି । ଏବେ ଘରୋଇ ଶିଳ୍ପ ଗୁଡିକ ମଧ୍ୟ ଉପଗ୍ରହ ନିର୍ମାଣ ଓ ପରିଚାଳନା କ୍ଷେତ୍ରରେ ସୁଯୋଗ ପାଇବାକୁ ଯାଉଛନ୍ତି ।