ସୋପିଆନରେ ସୁରକ୍ଷା ବାହିନୀର ଏନକାଉଣ୍ଟର, ୨ ଆତଙ୍କବାଦୀ ନିପାତ

ଶ୍ରୀନଗର,ଏଜେନ୍ସି: ଜାମ୍ମୁ-କାଶ୍ମୀରର ସୋପିଆନ ଜିଲ୍ଲାର ହାଡ଼ିପୋରାରେ ସୁରକ୍ଷା ବାହିନୀର ଯବାନମାନେ ଆତଙ୍କବାଦୀଙ୍କ ଉପରେ ଗୁଳିଚାଳନା କରିଛନ୍ତି। ଏହି ଗୁଳିଚାଳନାରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି। କଶ୍ମୀର ଜୋନ୍ ପୁଲିସ ଗଣମାଧ୍ୟମକୁ ଏହି ସୂଚନା ଦେଇଛି।

ସୂଚନା ଅନୁସାରେ ହାଡ଼ିପୋରାରେ ଆତଙ୍କବାଦୀମାନେ ଚଳପ୍ରଚଳ କରୁଥିବା ନେଇ ସୁରକ୍ଷା ବାହିନୀର ଯବାନମାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ସୁରକ୍ଷା ବାହିନୀର ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯବାନଙ୍କୁ ଦେଖି ଆତଙ୍କବାଦୀମାନେ ଛାନିଆ ହୋଇଯାଇଥିଲେ। ଶେଷରେ ଗୁଳିଚାଳନା କରିଥିଲେ। କିନ୍ତୁ ଯବାନମାନଙ୍କ ପାଲଟା ଜବାବରେ ୨ ଜଣ ଆତଙ୍କବାଦୀ ଟଳି ପଡ଼ିଥିଲେ। ତେବେ ନିହତ ହୋଇଥିବା ଆତଙ୍କବାଦୀମାନଙ୍କର ପରିଚୟ ମିଳିପାରିନାହିଁ।