ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ଭାଇରସ୍ ସଂକ୍ରମଣ ବିସ୍ଫୋରକ ରୂପ ଧାରଣ କରିଛି। କରୋନା ଭାଇରସର ଦ୍ୱିତୀୟ ଲହର ଯୋଗୁଁ ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୫୨ ହଜାର ୫୪୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୮୩୯ ଜଣଙ୍କର ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଗତବର୍ଷ ଅକ୍ଟୋବର ୧୬ ତାରିଖରେ ସର୍ବାଧିକ ମୃତ୍ୟୁ ରେକର୍ଡ ହୋଇଥିଲା। ଏଥି ସହିତ ଭାରତ ଗୋଟିଏ ଦିନରେ ୧.୫୦ ଲକ୍ଷରୁ ଅଧିକ ସଂକ୍ରମଣ ମାମଲାରେ ବିଶ୍ୱର ୨ୟ ରାଷ୍ଟ୍ର ହୋଇଛି। ଅପରପକ୍ଷରେ ଦେଶରେ ଗତ ୨୪ ଘଣ୍ଟାରେ ୯୦ ହଜାର ୫୮୪ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।
ନୂଆ କରୋନା ସଂକ୍ରମଣକୁ ମିଶାଇ ଦେଶରେ ମୋଟ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୩ ଲକ୍ଷ ୫୮ ହଜାର ୮୦୫ରେ ପହଞ୍ଚିଛି। ଏଥିରୁ ୧ କୋଟି ୨୦ ଲକ୍ଷ ୮୧ ହଜାର ୪୪୩ ଜଣ ଆରୋଗ୍ୟ ହୋଇସାରିଥିବା ବେଳେ ୧ ଲକ୍ଷ ୬୯ ହଜାର ୨୭୫ ଜଣଙ୍କ ମୃତ୍ୟୁ ହୋଇସାରିଛି। ବର୍ତ୍ତମାନ ଦେଶରେ ୧୧ ଲକ୍ଷ ୮ ହଜାର ୮୭ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।
କରୋନା ଭାଇରସ ଲାଗି ଛତିଶଗଡ଼ର ରାଜଧାନୀ ରାୟପୁର ଓ ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଲକଡାଉନ ଆରମ୍ଭ ହୋଇଯାଇଥିବା ବେଳେ ପଞ୍ଜାବ, ଲଖନଉ, ମହାରାଷ୍ଟ୍ର, ଗୁଜରାଟ ଓ ଉତ୍ତର ପ୍ରଦେଶର କିଛି ସହରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଛି। ଚଣ୍ଡିଗଡ଼ରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବା ପରେ ହସ୍ପିଟାଲ ଶିଳ୍ପ ଅଧିକ ପ୍ରଭାବିତ ହୋଇଛି। ସେହିପରି ହରିୟାଣାରେ ମଧ୍ୟ କରୋନା ସଂକ୍ରମଣ ବ୍ୟାପିଥିବାରୁ ସରକାର ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବା ଲାଗି ପ୍ରସ୍ତୁତ ହେଉଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଏସଂକ୍ରାନ୍ତରେ ସବୁ ଜିଲ୍ଲାକୁ ପତ୍ର ଲେଖି ରିପୋର୍ଟ ମାଗିଛନ୍ତି। ହରିଆଣାର ସ୍ୱାସ୍ଥ୍ୟ ଓ ଗୃହମନ୍ତ୍ରୀ ଅନିଲ ଭିଜ ସୋମବାର ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ସହିତ ବୈଠକ କରିବେ।