ଷ୍ଟାର ଲାଇଟ କମ୍ପାନୀ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାସ୍ଥିତ ଷ୍ଟାର ଲାଇଟ କମ୍ପାନୀ ସମ୍ମୁଖରେ ଆଜି ଶ୍ରମିକମାନେ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନକାରୀ କହିଛନ୍ତି ଯେ, ଷ୍ଟାର ଲାଇଟ କମ୍ପାନୀ କର୍ତୃପକ୍ଷ ଶ୍ରମିକଙ୍କୁ ଶୋଷଣ କରୁଛନ୍ତି। କମ୍ପାନୀ କର୍ତୃପକ୍ଷ ଶ୍ରମିକଙ୍କୁ ଉଚିତ ପ୍ରାପ୍ୟ ପ୍ରଦାନ ନକରି କମ ଦରମାରେ କାମ କରିବା ପାଇଁ ବାଧ୍ୟ କରୁଛନ୍ତି। ଏହାସହ ଦରମା ଦେବାରେ ବହୁ ବିଳମ୍ବ କରୁଛନ୍ତି। ଦରମା ମାଗିଲେ ଚାକିରିରୁ କାଢ଼ି ଦିଆଯିବ କହି କମ୍ପାନୀ କର୍ତୃପକ୍ଷ ନାଲି ଆଖି ଦେଖାଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଲକଡାଉନ ସମୟରେ କମ୍ପାନୀ ଦରମା ଦେଉନଥିବାରୁ ଏହି ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ କମ୍ପାନୀ ଶ୍ରମିକଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ନୂତନ ଶ୍ରମିକଙ୍କୁ ଆଣି ନିଯୁକ୍ତି କରିଛି ଏବଂ ପୁରୁଣା ଶ୍ରମିକଙ୍କୁ କାର୍ଯ୍ୟରେ ଯୋଗଦିଅ ନଚେତ କମ୍ପାନୀ କ୍ୱାର୍ଟର ଖାଲି କର ବୋଲି ଚେତାବନୀ ଦେଉଛି। ଯଦ୍ୱାରା କମ୍ପାନୀରେ ପୂର୍ବରୁ କାର୍ଯ୍ୟ କରୁଥିବା ଶ୍ରମିକମାନେ ଦୈନିକ ପ୍ରାପ୍ୟରୁ କମ ଦରମାରେ କାମ କରିବା ପାଇଁ ବାଧ୍ୟ ହେବେ ନଚେତ କମ୍ପାନୀ ତାଙ୍କୁ ଚାକିରି ଓ କ୍ୱାର୍ଟରରୁ ବାହାର କରିଦେବ। ତେଣୁ ଷ୍ଟାର ଲାଇଟ କମ୍ପାନୀର ଏହି ଶ୍ରମିକମାନେ ଶୋଷଣ ନୀତିକୁ ବିରୋଧ କରି ଆଜି ଆନ୍ଦୋଳନ କରିବା ସହ ସେମାନଙ୍କୁ ତାଙ୍କ କାମ ବଦଳରେ ଉଚିତ ପ୍ରାପ୍ୟ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି।