ବଣ୍ଡାଘାଟିରେ କରୋନା ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ: ମୁଦୁଲିପଡ଼ାରେ ହେବ ପନିପରିବା ବଜାର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ୍ ଅନ୍ତର୍ଗତ ବଣ୍ଡାଘାଟିକୁ ଚଳିତ ବର୍ଷ ପ୍ରଥମ ଥର କରି କରୋନା ପଦଧ୍ୱନୀ ଦେବା ପରେ ଜିଳ୍ଲାପାଳ ଡ. ୱାଇ ବିଜୟ ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ସେ ପ୍ରଥମେ ମୁଦୁଲିପଡ଼ା ଓ ପରେ ଏହି ପଞ୍ଚାୟତ ଅନ୍ତର୍ଗତ ଦାନ୍ତିପଡ଼ା ଗ୍ରାମ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।

ମୁଦୁଲିପଡ଼ାରେ ପନିପରିବା ବଜାର ସହ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ପାଇଁ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଦାନ୍ତିପଡ଼ା ଗ୍ରାମରେ ପାନୀୟଜଳ ସମସ୍ୟା ଲାଗି ରହିଥିବାରୁ ଏହି ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଖଇରପୁଟ ବିଡିଓ ହୃଦାନନ୍ଦ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଏଥିସହ ସମ୍ପୃକ୍ତ ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମକୁ ପକ୍କା ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବା ସହ ପିଡିଏସ ସାମଗ୍ରୀ ବଣ୍ଟନ ବେଳେ କାଟଛାଟ ହେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଜିଲ୍ଲାପାଳ ଡ. ବିଜୟ କଂକ୍ରିଟ ରାସ୍ତା ନିର୍ମାଣ ସହ ପିଡିଏସ ଚାଉଳ କଟାଯାଉଥିବା ଘଟଣାର ତଦନ୍ତ କରିବା ପାଇଁ ବିଡିଓ ନିର୍ଦ୍ଦେଶ ଦେଇଥିଲେ। କରୋନାର ଚେନ ଭାଙ୍ଗିବା ପାଇଁ ଗ୍ରାମବାସୀମାନେ କୋଭିଡ ନିୟମକୁ ପାଳନ କରିବା ଯଥା- ମାସ୍କ ବ୍ୟବହାର, ସାମାଜିକ ଦୂରତା ସହ ହାତକୁ ବାରମ୍ବାର ଧୋଇବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ।

ଏଥିସହ ଜିଲ୍ଲାପାଳ ତାଙ୍କ ନିଜର ମୋବାଇଲ ନମ୍ବର ଗ୍ରାମବାସୀଙ୍କୁ ପ୍ରଦାନ କରି ଯେକୌଣସି ସମସ୍ୟା ହେଲେ ସିଧାସଳଖ ଜଣାଇବାକୁ ପରାମର୍ଶ ଦେଇଥିଲେ। ମୁଦୁଲିପଡ଼ାରେ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଥିବା ବେଳେ କୌଣସି ବ୍ୟକ୍ତି ବିଶେଷଙ୍କୁ ଲକ୍ଷଣ ଦେଖାଗଲେ, ସେଠାରେ ରହି ଚିକିତ୍ସା ସୁବିଧା ନେବାକୁ କୁହାଯାଇଛି। ବଣ୍ଡାଘାଟିରେ ୧୨ ଜଣ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ୮ ଜଣ ସଂକ୍ରମିତ ରହିଛନ୍ତି।