ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

କଲମ୍ବୋ: ଶ୍ରୀଲଙ୍କାରେ ଜାରି ରହିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ରାଷ୍ଟ୍ରପତି ଗୋଟବାୟା ରାଜପେକ୍ଷେ ଦେଶ ଛାଡ଼ି ପଳାଇ ଯାଇଛନ୍ତି । ଇତିମଧ୍ୟରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । କିଛିଦିନ ପୂର୍ବରୁ ରାଷ୍ଟ୍ରପତି ଗୋଟବାୟା ଜୁଲାଇ ୧୩ରେ ନିଜ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । କିନ୍ତୁ ରାଷ୍ଟ୍ରପତି ଏବେ ଦେଶ ଛାଡ଼ି ପଳାଇ ଯାଇଥିବାରୁ ତାଙ୍କ ଇସ୍ତଫାକୁ ନେଇ ପ୍ରଶ୍ନ ଉଠୁଛି ।

ସୂଚନାନୁଯାୟୀ, ରାଷ୍ଟ୍ରପତି ଗୋଟବାୟା ରାଜପେକ୍ଷେ, ତାଙ୍କ ପତ୍ନୀ ଓ ୨ଜଣ ସୁରକ୍ଷାକର୍ମୀଙ୍କ ସହ ଶ୍ରୀଲଙ୍କା ବାୟୁସେନାର ବିମାନ ଯୋଗେ ମାଲଦ୍ୱୀପ ରାଜଧାନୀ ମାଲେ ଯାଇଛନ୍ତି । ଅନ୍ୟପଟେ ରାଷ୍ଟ୍ରପତି ଦେଶ ଛାଡ଼ି ଯିବା ଖବର ମିଳିବା ପରେ କଲମ୍ବୋରେ ପ୍ରଧାନମନ୍ତ୍ରୀଙ୍କ ଆବାସ ବାହାରେ ଜନତାଙ୍କ ବିରୋଧ ପ୍ରଦର୍ଶନ ପୁଣିଥରେ ବଢ଼ିଯାଇଛି ।