କାମ କରୁନି ଲିଫ୍ଟ : ରୋଗୀ ହନ୍ତସନ୍ତ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଲିଫ୍ଟ କାମ କରୁନଥିବାରୁ ରୋଗୀ ଓ ସମ୍ପର୍କୀୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ହସ୍ପିଟାଲର ଦ୍ୱିତୀୟ ମହଲାରେ ଥିବା ମେଡିସିନ୍, ସର୍ଜର୍ରୀ ଓ ଅର୍ଥୋପେଡ଼ିକ୍ ବିଭାଗ ରୋଗୀ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଅନେକ ସମୟରେ ରୋଗୀଙ୍କର ରକ୍ତ, ମଳ, ମୁତ୍ର ପରୀକ୍ଷା ସହ ଏକ୍ସରେ ଓ ସିଟିସ୍କାନ୍ ନିମନ୍ତେ ଗ୍ରାଉଣ୍ଡ ଫ୍ଲୋରକୁ ଆସିବାକୁ ପଡ଼ିଥାଏ। ହେଲେ ଲିଫ୍ଟ କାମ କରୁନଥିବାରୁ ସେମାନଙ୍କୁ ହୁଇଲ୍ ଚେୟାରରେ ସମ୍ପର୍କୀୟମାନେ ନେବା ଆଣିବା କରୁଛନ୍ତି, କେତେକ ରୋଗୀଙ୍କର କୌଣସି ପୁରୁଷ ସହକାରୀ ନଥିବାରୁ ତଳ ମହଲାରୁ ଦ୍ୱିତୀୟ ମହଲାକୁ ହୁଇଲ୍ ଚେୟାରରେ ନେବା ବହୁ କଷ୍ଟକର ହୋଇଥାଏ। ଲିଫ୍ଟ ସ୍ଥାପନ ହେବାର କିଛି ଦିନ ପରଠାରୁ ଅନେକ ଥର ଖରାପ ହୁଏ ଓ ତା’ ପରେ ମରାମତି କରାଯାଇଥାଏ। କିନ୍ତୁ ଏବେ ଲିଫ୍ଟ ବହୁ ଦିନରୁ ବନ୍ଦ ହୋଇ ରହିଥିବା ଯୋଗୁ ସଜାଡ଼ିବାକୁ କର୍ତୃପକ୍ଷ ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି। ଆସନ୍ତା ୨ ଦିନ ମଧ୍ୟରେ ଲିଫ୍ଟ ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯିବ ବୋଲି ଜିଇଡି ତଥା ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଖୁରା ପ୍ରକାଶ କରିଛନ୍ତି।