୩ ଲକ୍ଷ ଟଙ୍କାର ଗଞ୍ଜେଇ ସହ ବଲେରୋ ଜବତ, ୩ ଗିରଫ

କୋରାପୁଟ,ଏନ୍ଏନ୍ଏସ୍ : ଜୟପୁର ସଦର ପୁଲିସ୍ ଏକ ବଲେରୋରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ରାମନାଗୁଡ଼ା ଗ୍ରାମର ରାମ ପୁଜାରୀ(୩୨), ଡୁରକାଯୋଡ଼ି ଗ୍ରାମର ବେଣୁଧର ଓଡି (୨୨) ଓ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଖଟନିକୁଣ୍ଡ୍ ଗ୍ରାମର ରୂକଧର ଗତନ୍ (୨୦)। ବାଲିଆ ବ୍ରୀଜ୍ ଦେଇ ଜୟପୁର ସହର ଅଭିମୁଖେ ନମ୍ବର ନଥିବା ଏକ ଧଳା ରଙ୍ଗର ବଲେରୋ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ଜୟପୁର ସଦର ଥାନା ପୁଲିସକୁ ମିଳିଥିଲା। ସୂଚନା ମିଳିବା ପରେ ଭାରପ୍ରାପ୍ତ ଥାନା ଅଧିକାରୀ ଏ.ମହାକୁଡ, ସବଇନ୍ସପେକ୍ଟର ଶଙ୍କର ପଣ୍ଡା ଓ ଅନ୍ୟମାନେ ବାଲି ବ୍ରୀଜ୍ ନିକଟରେ ଉକ୍ତ ଗାଡ଼ିକୁ ଅପେକ୍ଷା କରିଥିଲେ। ଗାଡ଼ି ଆସିବା ମାତ୍ରେ ଅଟକାଇ ଯାଞ୍ଚ କରିବା ପରେ ବଲେରୋରୁ ୫୫ କିଲୋ ୫୦୦ ଗ୍ରାମ୍ ଗଞ୍ଜେଇ ମିଳିଥିଲା। ପୁଲିସ୍ ଅଭିଯୁକ୍ତଙ୍କୁୁ ଗିରଫ କରିବା ସହ ଗଞ୍ଜେଇ ସମେତ ଚାଲାଣରେ ବ୍ୟବହୃତ ବଲେରୋ, ୩ଟି ମୋବାଇଲ ଫୋନ୍ ଓ ନଗଦ ୧୨୦୦ ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ। କୋରାପୁଟ ଜିଲ୍ଲାରୁ ଚୋରା ଗଞ୍ଜେଇ ଚାଲାଣ ସମ୍ପୂର୍ଣ ବନ୍ଦ କରିବାକୁ ଜିଲ୍ଲା ପୁଲିସ ପ୍ରତିଜ୍ଞାବଦ୍ଧ ଓ ଆସନ୍ତା ଦିନରେ ଚୋରା ଗଞ୍ଜେଇ ଧରପଗଡ଼ ଅଧିକ ଜୋରଦାର କରାଯିବ ବୋଲି ବିଭାଗ ପକ୍ଷରୁ ଗଞ୍ଜେଇ ମାଫିଆଙ୍କୁ ଚେତାବନୀ ଦିଆଯାଇଛି।