ହାତୀ ଭାଙ୍ଗିଲା ଘର: କ୍ଷତିପୂରଣ ଦାବିରେ ରାସ୍ତାରୋକ

ଦେବଗଡ,ଏନଏନଏସ: ଦେବଗଡ ବନ ଖଣ୍ଡ ରିଆମାଳ ଫରେଷ୍ଟ ରେଞ୍ଜଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଗତ କିଛି ମାସ ଠାରୁ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ହାତୀ ଉପଦ୍ରବ ଯୋଗୁଁ ବହୁ ଧନ ଜୀବନ ନଷ୍ଟ ହେଉଥିଲେ ମଧ୍ୟ ଏହା ଥମିବାର ନାମ ନେଉ ନାହିଁ। ଏହି କ୍ରମରେ ଗତକାଲି ରାତ୍ରୀ ପ୍ରାୟ ୧୧ଟା ସମୟରେ ରିଆମାଳ ଫରେଷ୍ଟ ରେଞ୍ଜ ପଳସମା ସେକ୍ସନ ଅନ୍ତର୍ଗତ ରତାଖଣ୍ଡି,ବ୍ରାହ୍ମଣୀପାଲି ଗ୍ରାମରେ ଏକ ଦନ୍ତା ହାତୀ ୨ ଜଣ ବ୍ୟକ୍ତି ଙ୍କ ଘର ଭାଙ୍ଗିବାରୁ ଏହାର ପ୍ରତିବାଦରେ ଆଜି ସକାଳୁ ଗ୍ରାମବାସୀ ମାନେ ତୁରନ୍ତ କ୍ଷତିପୂରଣ ଦାବୀରେ ଛତାବର -ପଳସମା ପ୍ରଧାନ ମନ୍ତ୍ରୀ ସଡକରେ ବସି ରହି ରାସ୍ତା ଅବରୋଧ କରିଥିବା ଜଣାପଡିଛି।

ତେବେ ଉତ୍ୟକ୍ତ ଲୋକ ଙ୍କୁ ବୁଝା ସୁଝା ପାଇଁ ବନ ବିଭାଗ ଓ ପୁଲିସ ବିଭାଗର କର୍ମଚାରୀ ମାନେ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ନିଜ ଯିଦରେ ଅଟଳ ରହି ତୁରନ୍ତ କ୍ଷତି ପୂରଣ ଦାବୀରେ ରାସ୍ତା ଅବରୋଧ ଜାରି ରଖିଥିବା ଜଣା ପଡିଛିା ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରୀ ପ୍ରାୟ ୧୧ଟା ସମୟରେ ଗୋଗୁଆ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଏକ ଦନ୍ତା ହାତୀ ଗାଁ ଆଡ କୁ ଚାଳି ଆସି ରତାଖଣ୍ଡି ଗ୍ରାମର କ୍ଷୀର ପ୍ରଧାନ ନାମ୍ନି ଜଣେମହିଳା ଙ୍କ ଘର ର କାନ୍ଥ ଓ ଆଜବେଷ୍ଟ ଭାଙ୍ଗିଥିବା ବେଳେ ବ୍ରାହ୍ମଣୀପାଲି ଗ୍ରାମ ର ଅର୍ଜ୍ଜୁନ ପ୍ରଧାନ ଙ୍କ ଅର୍ଧ୍ୟ ନିର୍ମୀତ ଦୋକାନ ଘର କୁ ଭାଙ୍ଗି ଦେଇଥିଲା।

ଆଜି ସକାଳୁ ସୂଚନା ପାଇ ରିଆମାଳ ଫରେଷ୍ଟ ରେଞ୍ଜ ଅଫିସର ଭବାନୀ ଶଙ୍କର ଦାଶ ଓ ଫରେଷ୍ଟର ପ୍ରଶାନ୍ତ ଶତପଥି ବିଭାଗୀୟ କର୍ମଚାରୀ ଙ୍କ ସହ ଘଟଣା ସ୍ଥଳ କୁ ଯାଇ କ୍ଷୟ କ୍ଷତି ଆକଳନ କରିବା ସହ ହାତୀର ଗତିବିଧି ଉପରେ ନଜର ରଖିଥିଲେ।ତେବେ କ୍ଷତିଗ୍ରସ୍ତ ପରିବାର ଗ୍ରାମବାସୀ ଙ୍କ ସହ ତୁରନ୍ତ କ୍ଷତି ପୂରଣ ଦାବୀରେ ଛତାବର -ପଳସମା ପ୍ରଧାନ ମନ୍ତ୍ରୀ ସଡକରେ ବସି ରହି ରାସ୍ତା ଅବରୋଧ କରିଥିବା ଜଣା ପଡିଛି। ସୂଚନା ପାଇ କୁଣ୍ଢେଇଗୋଳା ଥାନା ପୁଲିସ ଘଟଣା ସ୍ଥଳରେ ପହଚିଂ ଉତ୍ୟକ୍ତ ଲୋକ ଙ୍କୁ ବୁଝାସୁଝା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ରାସ୍ତା ରୋକ ଆନ୍ଦୋଳନ ଜାରି ରହିଥିବା ଜଣା ପଡିଛି।