ବଡ଼ଛାପଲ ପଞ୍ଚାୟତର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକର ବିଭିନ୍ନ ଗ୍ରାମରେ ଗତ କିଛିଦିନ ଧରି ହାତୀ ଉପଦ୍ରବ ଫଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ତିଲେଇବଣୀ ବ୍ଲକ ଅନ୍ତର୍ଗତ ବଡ଼ଛାପଲ ପଞ୍ଚାୟତର ବଡ଼ଛାପଲ, ବହ୍ମାସାଧୁବାହାଲ, ସୁବର୍ଣ୍ଣପାଲି, କୁଟୁରାପଶି, ବିଛଣାପୁର, ପାର୍ବତୀପୁର ଓ ତିରିବ ଗ୍ରାମରେ ଗତ ୨ ସପ୍ତାହ ଧରି ହାତୀ ଉପଦ୍ରବ ଜାରି ରହିଛି। ଫଳରେ ଧାନ ଫସଲ ନଷ୍ଟ ହୋଇଥିବାରୁ ଗ୍ରାମବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗତ ୨ ସପ୍ତାହ ହେଲା ୨୯ଟି ହାତୀର ଏକଦଳ ଉକ୍ତ ଗ୍ରାମର ଧାନ ବିଲରେ ପଶି ଅମଳକ୍ଷମ ଧାନ ଗଛ ଖାଇବା ସହ ମାଡ଼ି ଦଳି ନଷ୍ଟ କରି ଦେଇଛନ୍ତି। ଏଥିସହିତ ଗ୍ରାମ ନିକଟସ୍ଥ କଟାରେ ଜଳକ୍ରୀଡ଼ା କରୁଛନ୍ତି। ଗ୍ରାମବାସୀମାନେ ନିଜ ଉଦ୍ୟମରେ ଉକ୍ତ ହାତୀ ପଲକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିବା ସହ ବନ ବିଭାଗର ସହାୟତା ଲୋଡ଼ିଛନ୍ତି। କିନ୍ତୁ ବନ ବିଭାଗ ପକ୍ଷରୁ ହାତୀଙ୍କୁ ଅନ୍ୟତ୍ର ଘଉଡ଼ାଇବାକୁ ଉଦ୍ୟମ କରାଯାଉଥିଲେ ହେଁ ଗ୍ରାମବାସୀଙ୍କ ଅସହଯୋଗ ମନୋଭାବ ଯୋଗୁ ସମସ୍ୟା ହେଉଥିବା ସଂପୃକ୍ତ ଅଂଚଳର ବନପାଳ ପ୍ରକାଶ କରିଛନ୍ତି। ଗ୍ରାମବାସୀମାନେ ନିଜ ନିଜ ଚାଷ ଜମିକୁ ହାତୀପଲ ଦାଉରୁ ରକ୍ଷା କରିବା ପାଇଁ ଚାଷ ଜମିକୁ ଅବରୋଧ କରି ରଖିଥିବାରୁ ହାତୀମାନେ ସଂପୃକ୍ତ ଅଞ୍ଚଳରେ ବୁଲି ଅବରୋଧ କରାଯାଇ ନଥିବା ଚାଷ ଜମିରେ ପଶି ଅମଳକ୍ଷମ ଧାନ ଫସଲକୁ ଖାଇବା ସହ ଗୋଡ଼ରେ ମାଡ଼ି ଦଳି ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ସେହିପରି ପ୍ରତ୍ୟେକ ଗ୍ରାମବାସୀ ନିଜ ନିଜ ଗ୍ରାମ ସୀମାରେ ନିଆଁ, ବାଣ ଓ ବାଜା ଧରି ଜଗି ରହିଥିବା ଯୋଗୁ ହାତୀମାନେ ରାସ୍ତା ନ ପାଇ ସଂପୃକ୍ତ ଅଂଚଳରେ ଅଟକି ରହିଥିବା ଜଣାପଡ଼ିଛି। ଏସମ୍ପର୍କରେ ବନଖଣ୍ଡ ଅଧିକାରୀ କ୍ଷମା ଷଢ଼ଙ୍ଗୀଙ୍କ ମତାମତ ଲୋଡ଼ିବାରୁ ଉକ୍ତ ଅଞ୍ଚଳରେ ହାତୀଙ୍କ ଦ୍ୱାରା କ୍ଷୟକ୍ଷତି ଅଭିଯୋଗକୁ ସ୍ୱୀକାର କରିଥିଲେ। ଏହାସହ ଗତ ୩ ତାରିଖ ସୁଦ୍ଧା ଦେବଗଡ଼ରେ ୧୨୯ଟି ହାତୀ ଥିଲେ। ସେଥିମଧ୍ୟରୁ ୨୭ଟି ହାତୀ କେନ୍ଦୁଝର ଚାଲି ଯାଇଥିବାବେଳେ ଆଉ କିଛି ହାତୀ ତାଳଚେର ଓ ରେଢ଼ାଖୋଲ ଅଞ୍ଚଳକୁ ଚାଲି ଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୯୨ଟି ହାତୀଙ୍କ ଚଳପ୍ରଚଳ ରହିଛି। ସେଥିମଧ୍ୟରୁ ୨୯ଟି ହାତୀ ବର୍ତ୍ତମାନ ସୁଗୁଡ଼ାରୁ ବଡ଼ଛାପଲ ମଧ୍ୟରେ ଥିବାବେଳେ ସଂପୃକ୍ତ ଅଞ୍ଚଳରେ ରହି ଫସଲ ନଷ୍ଟ କରୁଥିବା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି। ଅନ୍ୟପଟେ ବନ ବିଭାଗ ପକ୍ଷରୁ ହାତୀଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରାଯାଉଥିଲେ ହେଁ ଗ୍ରାମବାସୀଙ୍କ ଅସହଯୋଗ ଯୋଗୁ ହାତୀପଲକୁ ଘଉଡ଼ାଇବାରେ ବନ ବିଭାଗ ଅସୁବିଧାର ସମ୍ମୁଖୀନ ହେଉଥିବା ପାଲଟା ଅଭିଯୋଗ କରିଛନ୍ତି।