ଆଫଗାନିସ୍ତାନ ପ୍ରସଙ୍ଗରେ ୧୦ରେ ଅଜିତ ଡୋଭାଲଙ୍କ ବୈଠକ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ୱରେ ଦିଲ୍ଲୀରେ ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ବିଭିନ୍ନ ଦେଶର ସୁରକ୍ଷା ପରାମର୍ଶଦାତାଙ୍କ ସହ ନଭେମ୍ବର ୧୦ରେ ବୈଠକ ହେବ। ଖାସ୍ କଥାଟି ହେଲା, ଉକ୍ତ ବୈଠକରେ ଋଷ ଓ ଇରାନ ସମେତ ସବୁ ମଧ୍ୟ ଏସିଆ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ସାମିଲ ହେବେ। ଭିନ୍ନ ଭିନ୍ନ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହ ଡୋଭାଲଙ୍କର ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ଅନୁଷ୍ଠିତ ହେବ। ଏଥିସହିତ ସବୁ ଦେଶର ପ୍ରତିନିଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିବେ ବୋଲି ଜଣାପଡ଼ିଛି।

ସେହିପରି ଉକ୍ତ ବୈଠକରେ ଆଫଗାନିସ୍ତାନରେ ସ୍ଥିରତା, ତାଲିବାନ କ୍ଷମତାକୁ ଆସିବା ପରେ ଉତ୍ପନ୍ନ ହୋଇଥିବା ସୁରକ୍ଷା ସମ୍ବନ୍ଧୀୟ ଚ୍ୟାଲେଞ୍ଜ ଓ ବ୍ୟାପକ ସରକାରଙ୍କ ଅନୁରୋଧ ସମେତ ସରକାରଙ୍କ ମାନ୍ୟତା ଭଳି ପ୍ରସଙ୍ଗରେ ଚର୍ଚ୍ଚା ହେବ।

ସୂଚନାଯୋଗ୍ୟ, ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହି ବୈଠକରେ ସାମିଲ ହେବା ପାଇଁ ପାକିସ୍ତାନର ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫଙ୍କୁ ନିମନ୍ତ୍ରଣ ପଠାଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଅନ୍ୟପଟେ ଚୀନକୁ ନିମନ୍ତ୍ରଣ ପଠାଯାଇଥିଲେ ମଧ୍ୟ ତା’ ତରଫରୁ କୌଣସି ଔପଚାରିକ ବୟାନ ଆସିନାହିଁ।