ଜାମୁଟରେ ହାତୀ ଉପଦ୍ରବ : ଉଜୁଡ଼ିଲା ଚାଷ

ଦେଓଗାଁ,ଏନ୍ଏନ୍ଏସ୍: ଚଳିତ ବର୍ଷ ଅଳ୍ପ ବୃଷ୍ଟିପାତ ଯୋଗୁ ଗୁଡ଼ଭେଲା ବ୍ଲକରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ମରୁଡ଼ି ପରିସ୍ଥିତି ସତ୍ୱେ ବିଭିନ୍ନ ଜଳ ଉତ୍ସରୁ ପାଣି ଆଣି ଚାଷୀ ଅଳ୍ପ କିଛି ଜମିରେ ଚାଷ କରିଛନ୍ତି। ଏପରି ସ୍ଥିତିରେ ହାତୀ ଉପଦ୍ରବ ଚିନ୍ତାର କାରଣ ହୋଇଛି। ମିଳିଥିବା ରିପୋର୍ଟ ମୁତାବକ, ଗୁଡ଼ଭେଲା ବ୍ଲକ ସାନଡ଼ଙ୍ଗର ଗାଁରେ ଧାନ ଚାଷ ଜମି ହାତୀ ଉପଦ୍ରବ ଯୋଗୁ ଉଜୁଡ଼ି ପଡ଼ିଛି। ନିକଟରେ ଥିବା ସିକେରପାଟ ଜଙ୍ଗଲରୁ ରାତିରେ ହାତୀପଲ ଆସି ଧାନ ଖାଇବା ସହିତ ଦଳି ଚକଡ଼ି ନଷ୍ଟ କରି ଦେଇଥିଲେ। ଜୀବନକୁ ବାଜି ଲଗାଇହାତୀ ଉପଦ୍ରବରୁ ଧାନ ଚାଷକୁ ରକ୍ଷା କରିବା ପାଇଁ  ଚାଷୀ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଅଞ୍ଚଳରେ ଦିନକୁଦିନ ହାତୀ ଉପଦ୍ରବ ବୃଦ୍ଧି ପାଉଥିଲେ ମଧ୍ୟ ବନ ବିଭାଗ ଅଧିକାରୀଙ୍କ ଦେଖା ମିଳୁନାହିଁ। ବନ ବିଭାଗର ଅବହେଳା ମନୋଭାବ ଯୋଗୁ ଅସନ୍ତୋଷ ପ୍ରକାଶ ହୋଇଛି। ବନ ବିଭାଗ କର୍ତୃପକ୍ଷ ତୁରନ୍ତ କ୍ଷତିଗ୍ରସ୍ତ ଚାଷି ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ସହିତ ହାତୀପଲକୁ ଘଉଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।