ବନ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ ଦ୍ୱାରା ହାତୀ ଦାନ୍ତ ଜବତ: ୨ ଅଟକ

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ବନଖଣ୍ଡ ପାଳଲହଡ଼ା-ଖମାର ଫରେଷ୍ଟ ରେଞ୍ଜ ସୀମାନ୍ତବର୍ତ୍ତୀ ବାଲିପଶି ଗ୍ରାମ ନିକଟରୁ ଦେବଗଡ଼ ବନ ବିଭାଗର ଏକ ସ୍ୱତନ୍ତ୍ର ସ୍କ୍ୱାଡ ଚଢ଼ଉ କରି ୨ଟି ହାତୀ ଦାନ୍ତ ଜବତ କରିଛି। ଏଥିସହ ୨ ଜଣ ଯୁବକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ଖମାର ଅଞ୍ଚଳରେ ବେଆଇନ ବନ୍ୟଜନ୍ତୁ ଶିକାର ସହ ବନ୍ୟପ୍ରାଣୀଙ୍କ ଅଙ୍ଗପ୍ରତ୍ୟେଙ୍ଗ ତସ୍କରି ହେଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଦେବଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଢ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇ ଉକ୍ତ ଅଞ୍ଚଳ ଉପରେ ତୀକ୍ଷ୍ମ ନଜର ରଖାଯାଇଥିଲା। ଗୁଇନ୍ଦା ସୂଚନା ଆଧାରରେ ଖମାର ଥାନା ଅନ୍ତର୍ଗତ ରୋହିଲା ଗ୍ରାମର ଖଟିଆ ବେହେରାଙ୍କ ପୁଅ ମିଟୁ ବେହେରା ଓ କୁରୁମୂଲା ଗ୍ରାମର ପଦ ଖଣ୍ଡାଳଙ୍କ ପୁଅ ରାଜୁ ଖଣ୍ଡାଳ ହାତୀ ଦାନ୍ତ ତସ୍କରି କରୁଥିବା ସୂଚନା ପାଇ ବନ ବିଭାଗ କର୍ମଚାରୀମାନେ ଛଦ୍ମ ବେଶରେ ଗ୍ରାହକ ସାଜି ମିଟୁ ଏବଂ ରାଜୁଙ୍କଠାରୁ ହାତୀ ଦାନ୍ତ କିଣିବା ପାଇଁ ମୂଲଚାଲ କରିଥିଲେ। ଯୋଜନା ଅନୁଯାୟୀ ନିର୍ଦ୍ଧାରିତ ସ୍ଥାନକୁ ରାଜୁ ଓ ମିଟୁ ହାତୀ ଦାନ୍ତ ବିକ୍ରି ପାଇଁ ନେଉଥିବାବେଳେ ଉଭୟ ଅଭିଯୁକ୍ତଙ୍କୁ ବନ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ କାବୁ କରିବା ସହ ସେମାନଙ୍କ ନିକଟରୁ ଅଢ଼େଇ କେଜି ଓଜନର ୨ଟି ହାତୀ ଦାନ୍ତ ଜବତ କରିବା ସହ ସେମାନଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରୁଥିବା ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଥିବାରୁ ତଦନ୍ତରେ ବ୍ୟାଘାତ ଆଶଙ୍କାରେ ବିଭାଗ ପକ୍ଷରୁ ସବିଶେଷ ତଥ୍ୟ ପ୍ରଦାନ କରାଯାଇ ନାହିିଁ।

ସୂଚନାଯୋଗ୍ୟ, ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରୁ ବେଆଇନ ବନ୍ୟପ୍ରାଣୀ ଶିକାର ଏବଂ ତସ୍କରି ଘଟଣାରେ ଗତ ୨୩ ତାରିଖ ଦିନ କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ ଚିତା ବାଘ ଚମଡ଼ା ଏବଂ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଜବତ କରିଥିଲା। ଏହାସହ ବାରକୋଟ ଥାନା ଅନ୍ତର୍ଗତ କାଦୋପଡ଼ା ଗ୍ରାମର ସୋମନାଥ ପାତ୍ର ଓ ରାଜୀବ ପାତ୍ର ନାମକ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଗତ ୨୦୧୯ ମସିହା ଜୁନ ୧୯ରେ ବାରକୋଟ ଥାନା ଅଞ୍ଚଳରୁ ବେଆଇନ ବାଘ ଛାଲ ବ୍ୟବସାୟ ଅଭିଯୋଗରେ ୩ଜଣ ଏବଂ ୨୯ରେ ୪ଜଣ ତସ୍କରଙ୍କୁ ଗିରଫ କରିଥିଲା। ସେହିପରି ଦେବଗଡ଼ ବନ ବିଭାଗ ପକ୍ଷରୁ ୨୦୧୯ ମସିହା ସେପ୍ଟେମ୍ବର ୨୪ରେ ବରଘାଟ ଛକ ନିକଟରୁ ୬ଜଣ ତସ୍କରଙ୍କୁ ବାଘ ଛାଲ ସହ ଗିରଫ କରିଥିଲା।