ବରଗଡ଼,ଏନ୍ଏନ୍ଏସ୍ : ବରଗଡ଼ ଜିଲ୍ଲା ଭେଡେନ ଅଞ୍ଚଳରେ ହାତୀପଲ ବ୍ୟାପକ ଉପଦ୍ରବ କରିଥିବାବେଳେ ହାତୀମାନଙ୍କୁ ଘଉଡାଇବା ପାଇଁ ବନବିଭାଗକୁ ନାକେଦମ ହେବାକୁ ପଡିଥିଲା। ହାତୀପଲ ବିଭିନ୍ନ ଗ୍ରାମରେ ପଶି ବ୍ୟାପକ ଧାନ, ପନିପରିବା ଆଦି ନଷ୍ଟ କରିଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ, ବିନିକା ରେଞ୍ଜରୁ ଏକ ହାତୀ ପଲ ବରଗଡ଼ ରେଞ୍ଜକୁ ଚାଲିଆସିବା ସହ ଭେଡେନ ବ୍ଲକରେ ବ୍ୟାପକ ଉପଦ୍ରବ କରିଛନ୍ତି। ଏହି ହାତୀପଲରେ ୫ଟି ଦନ୍ତା ହାତୀ ସମେତ ୨୭ ଟି ହାତୀ ରହିଛନ୍ତି । ହାତୀପଲ ଗଣ୍ଡତୁରୁମ, ପପଙ୍ଗା, କୁତପାଲି , ବକଟି, କୁବେଡେଗା, ତାଲପାଲି ଆଦି ପଞ୍ଚାୟତର ବହୁ ଗ୍ରାମରେ ବ୍ୟାପକ ମାତ୍ରାରେ ଅମଳ ହୋଇ ଖଳାରେ ରଖାଯାଇଥିବା ଧାନ , ପନିପରିବା, ଧାନ ତଳି ଦଳିଚକଟି ନଷ୍ଟ କରି ଦେଇଛନ୍ତି । ଖବରପାଇ ଏସିଏଫ ରେବତୀ ରମଣ ଯୋଷୀ, ବରଗଡ଼ ରେଞ୍ଜର ମହେନ୍ଦ୍ର କୁମାର ପାତ୍ର ସଦଳବଳେ ପହଞ୍ଚି ହାତୀମାନଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କୁ ବିନିକା ରେଞ୍ଜକୁ ଘଉଡାଇବାର ବ୍ୟବସ୍ଥା ଲାଗିଛନ୍ତି । ବନବିଭାଗର ୬୦ ଜଣ କର୍ମଚାରୀ ଏବଂ ୧୦ ଟି ଗାଡି ହାତୀ ଘଉଡାଇବାରେ ଲାଗିଥିବା ବେଳେ ହାତୀପଲକୁ ପୁଣି ବିନିକା ରେଞ୍ଜକୁ ଫେରାଇ ନିଆଯିବା ନେଇ ଉଦ୍ୟମ କରାଯାଉଥିବା ଜଣାପଡିଛି ।