ବାରିପଦା, ଏନ୍ଏନ୍ଏସ୍: ଫୁଲ ତୋଳୁଥିବାବେଳେ ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ପଳାଶମୁଣ୍ଡଳୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ବୃଦ୍ଧା ଜଣକ ପଳାଶମୁଣ୍ଡଳୀ ଗ୍ରାମର ସୁଭଦ୍ରା ରଣା (୬୫) ବୋଲି ଜଣାପଡ଼ିଛି। ମଙ୍ଗଳବାର ଭୋରରୁ ସୁଭଦ୍ରା ରଣା ଫୁଲ ତୋଳୁଥିବା ବେଳେ ଅଚାନକ ହାତୀ ପଛପଟୁ ଆସି ଆକ୍ରମଣ କରିଥିଲା । ସେହିପରି ଟୁକପଳାସିଆ ଗ୍ରାମର ଇନ୍ଦ୍ରଜିତ ମହାନ୍ତ ଓ ନଇତନି ମହାନ୍ତ ଦନ୍ତାହାତୀ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି ।
ଅନ୍ୟପଟେ ଦୁଇଦିନ ତଳେ ହାତୀ ଆକ୍ରମଣରେ ସାରୁମୂଳା ଗ୍ରାମର ଶ୍ରୀକାନ୍ତ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସୁଭଦ୍ରାଙ୍କ ମୃତ୍ୟୁ ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଦନ୍ତାହାତୀକୁ ନେଇ ଜନସାଧାରଣ ଆତଙ୍କିତ ହୋଇପଡିଛନ୍ତି । ତେବେ ହାତୀ ଘଉଡାଇବା କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ଦାୟିତ୍ୱହୀନତା ଯୋଗୁଁ ହାତୀ ଆକ୍ରମଣ ବୃଦ୍ଧି ପାଉଥିବା ଅଭିଯୋଗ ହେଉଥିବା ବେଳେ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ସେହିପରି ମୃତ ବୃଦ୍ଧାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ସହିତ ଗୁରୁତର ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବନବିଭାଗ ବହନ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।