ଫୁଲବାଣୀ,ଏନ୍ଏନ୍ଏସ୍: ବିଦ୍ୟୁତ ଆଘାତରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ଜିତେନ୍ଦ୍ର ଦାସ ଓରଫ ରବି । ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ବିଳମ୍ବିତ ରାତିରେ ବର୍ଷା ଯୋଗୁ ଫୁଲବାଣୀ ପୌର ପରିଷଦରେ ବିଦ୍ୟୁତ୍ ନଥିବାବେଳେ ବିଦ୍ୟୁତ୍ କାମ କରିବା ପାଇଁ ଫୁଲବାଣୀ ନାରାୟଣୀ ରୋଡ଼ ପାଖରେ ଥିବା ୧୧ କେଭି ଖୁଣ୍ଟରେ ବିଦ୍ୟୁତ୍ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ହଠାତ୍ ଆକସ୍ମିକ ଭାବେ ବିଦ୍ୟୁତ୍ ଚାର୍ଜ ହୋଇଯିବାରୁ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀ ଜିତେନ୍ଦ୍ରଙ୍କ ଜୀବନ ଚାଲିଗଲା । ଏହି ଘଟଣା ପରେ ଫୁଲବାଣୀ ଟାଉନ୍ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । କିନ୍ତୁ ବିଦ୍ୟୁତ୍ ବିଭାଗର କୋଣସି ଉପରିସ୍ଥ ଅଧିକାରୀ ଦେଖା ନଦେବାରୁ ମୃତ ଜିତେନ୍ଦ୍ରଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ପରିବାରକୁ ଚାକିରି, ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଆଦିି ଦାବୀରେ ଗାନ୍ଧୀ ଛକଠାରେ ରାସ୍ତାରୋକ୍ କରିଥିଲେ । ଦୀର୍ଘ ୪ ଘଣ୍ଟା ପରେ ପୁଲିସ ବୁଝାସୁଝା କରିବାରୁ ରାସ୍ତାରୋକ ହଟିଥିଲା । ମୃତ ବିଦ୍ୟୁତ୍ କର୍ମଚାରୀ ପରିବାରର ଏକମାତ୍ର ସନ୍ତାନ ହୋଇଥିବାବେଳେ ୫ ଓ ୨ ବର୍ଷର ୨ଟି ଝିଅ ଅଛନ୍ତି । ରାତିରେ ମେଡିକାଲ ପରିସର ଓ ବିଦ୍ୟୁତ୍ ଅଫିସରେ ମଧ୍ୟ ସ୍ଥାନୀୟ ଲୋକ ବିରୋଧ ପ୍ରଦର୍ଶନ କରିଥିଲେ । ବିଭାଗର ଭୁଲ ପାଇଁ ଏକ ଅମୂଲ୍ୟ ଜୀବନ ଚାଲିଯାଇଥିବାରୁ ଲୋକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ଜିଲ୍ଲା ମେଡିକାଲରେ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି । ଘଟଣାର ତଦନ୍ତ ଜାରି ରହିଛି ବୋଲି ଟାଉନ ଥାନାଧିକାରୀ ଅଶୋକ ଗିରି କହିଛନ୍ତି ।