ମମତାଙ୍କ ଆଘାତ ଉପରେ ନିର୍ବାଚନୀ ରାଜନୀତି

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ପ୍ରଚାର କରୁଥିବା ସମୟରେ ଗମ୍ଭୀର ରୂପେ ଆହତ ହୋଇଥିଲେ। ଏବେ ମମତା କୋଲକାତାର ଏସଏସକେଏମ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମମତାଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିଲେ ମଧ୍ୟ ଫ୍ରାକଚର ହୋଇନାହିଁ। କିନ୍ତୁ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ନନ୍ଦୀଗ୍ରାମରେ ମମତାଙ୍କ ସହ ହୋଇଥିବା କଥିତ ଆକ୍ରମଣକୁ କେନ୍ଦ୍ର କରି ଟିଏମସି କାର୍ଯ୍ୟକର୍ତ୍ତା ରାଜରାସ୍ତାକୁ ଓହ୍ଲାଇଛନ୍ତି। ଟିଏମସି କାର୍ଯ୍ୟକର୍ତ୍ତା ରାଜ୍ୟର ଅନେକ ସ୍ଥାନରେ ବିଜେପି ବିରୋଧରେ ନାରାବାଜି କରିଛନ୍ତି। ଅନ୍ୟପଟେ ବିଜେପି ମଧ୍ୟ ଟିଏମସିର ଏହି ଆରୋପକୁ ବିରୋଧ କରି ସଡ଼କରେ ଟାୟାର ଜଳାଇଛି।

ଆହତ ହେବା ପରେ ମମତା ମିଡିଆକୁ କହିଥିଲେ ଯେ, ମୁଁ ମୋ କାରର ଡୋର ଖୋଲି ବାହାରେ ଠିଆ ହୋଇଥିଲି। ପ୍ରାର୍ଥନା କରିବା ପାଇଁ ଏକ ସ୍ଥାନୀୟ ମନ୍ଦିରକୁ ଯାଇଥାନ୍ତି। ସେହି ସମୟରେ କିଛି ଲୋକ ଆସି କାରର ଡୋରକୁ ଧକ୍କା ମାରିଥିଲେ। ଯଦ୍ୱାରା ମୋ ଗୋଡ଼ରେ ଆଘାତ ଲାଗିଥିଲା।

ଅନ୍ୟପଟେ ବିଜେପି କହିଛି ଯେ ମମତା ମିଛ କହୁଛନ୍ତି। ନିର୍ବାଚନ ପୂର୍ବରୁ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରି ସହାନୁଭୂତି ପାଇବା ପାଇଁ ସେ ଡ୍ରାମା କରୁଛନ୍ତି। ପ୍ରତ୍ୟେକଥର ଜନତାଙ୍କ ସହାନୁଭୂତି ପାଇଁ ସେ ଏମିତି ତରିକା ଆପଣାଇଥାନ୍ତି।