ମଙ୍ଗଲିତି ପୂର୍ବରୁ କନ୍ୟା ନିଖୋଜ, ଥାନାରେ ଗ୍ରାମବାସୀ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ ଜଣେ ଯୁବତୀଙ୍କ ବିବାହ ପାଇଁ ମଙ୍ଗଲିତି ଆୟୋଜନ ବେଳେ ଯୁବତୀ ଜଣଙ୍କ ନିଖୋଜ ହୋଇଯାଇଛନ୍ତି। ଉକ୍ତ ଗ୍ରାମର ଜଣେ ଯୁବକ ତାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ କରି ଅପହୃତା ଯୁବତୀଙ୍କୁ ଉଦ୍ଧାର ଦାବିରେ ଆଜି ସନ୍ଧ୍ୟାରେ ଗ୍ରାମର ବହୁ ମହିଳା ଦେବଗଡ଼ ଥାନାରେ ପହଞ୍ଚିଛନ୍ତି।

ସୂଚନା ଅନୁଯାୟୀ ରଙ୍ଗମାଟିଆ ଗ୍ରାମର ସୁରେଶ ଦୀପଙ୍କ ଝିଅ ବିନି ଦୀପ(୧୮)ଙ୍କ ବିବାହ ଆଜି ବାରକୋଟ ଥାନା ଅନ୍ତର୍ଗତ ସିଙ୍ଗୁର ଗ୍ରାମର ଜଣେ ଯୁବକଙ୍କ ସହ ହେବାର ଥିଲା। ବିବାହ ପାଇଁ ପରିବାର ଲୋକ ସମସ୍ତ ପ୍ରସ୍ତୁତି ସାରିଥିଲେ। ତେବେ ସକାଳେ ମଙ୍ଗଲିତି ପୂର୍ବରୁ ଯୁବତୀ ଜଣଙ୍କ ନିଖୋଜ ହୋଇଯିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ମାତ୍ର ଯୁବତୀଙ୍କ କୌଣସି ସନ୍ଧାନ ମିଳିନଥିଲା।

ଗ୍ରାମର ଗଗନ ଦେହୁରୀଙ୍କ ପୁଅ ରାଜେଶ ଦେହୁରୀ(୨୨) ତାଙ୍କୁ ନେଇଯାଇ କୌଣସି ଅଜ୍ଞାତ ସ୍ଥାନରେ ଲୁଚାଇ ରଖିଥିବା ସନ୍ଦେହ କରି ତାକୁ ପଚରାଉଚୁରା କରିବାରୁ ରାଜେଶ କୌଣସି ସନ୍ତୋଷ ଜନକ ଉତ୍ତର ନଦେଇ ବିନିଙ୍କ ମୃତ ଦେହ ୧-୨ଦିନ ମଧ୍ୟରେ ପାଇଯିବ ବୋଲି କହିଥିଲେ। ଏହା ଜାଣିବା ପରେ ବିନିଙ୍କ ପରିବାର ଲୋକେ ଦେବଗଡ଼ ଥାନାକୁ ଆସି ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି। ପରେ ଦେବଗଡ଼ ଥାନା ପୁଲିସ ଅଭିଯୁକ୍ତ ଯୁବକକୁ ଦେବଗଡ଼ ଥାନାକୁ ଆଣି ପଚରାଉଚୁରା କରୁଛି। ଅନ୍ୟପଟେ ନିଖୋଜ ଯୁବତୀଙ୍କୁ ଶୀଘ୍ର ଖୋଜି ବାହାର କରିବା ପାଇଁ ଦାବି କରୁଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ସମସ୍ତେ ଦେବଗଡ଼ ଥାନାରେ ବସି ରହିଥିବା ଜଣାପଡ଼ିଛି।