ଅଢ଼େଇ ମାସ ପରେ ସାମ୍ନାକୁ ଆସିଲା ସର୍ବାଧିକ ୨୨ ହଜାର କରୋନା ମାମଲା

ନୂଆଦିଲ୍ଲୀ: ଦେଶରେ ଗତବର୍ଷ ଭଳି ଏବର୍ଷ ମଧ୍ୟ ମାର୍ଚ୍ଚ ମାସରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଳିଛି। ଆଜି ପାଖାପାଖି ଅଢ଼େଇ ମାସ ପରେ ଦେଶରେ ୨୨ ହଜାର ୮୫୪ ମାମଲା ସାମ୍ନାକୁ ଆସିଥିବାବେଳେ ୧୨୬ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୧୨ଲକ୍ଷ ୮୫ହଜାର ୫୬୧ ହୋଇଥିବାବେଳେ ୧ଲକ୍ଷ ୫୮ ହଜାର ୧୮୯ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୧କୋଟି ୯ଲକ୍ଷ ୩୮ହଜାର ୧୪୬ ଜଣ ସୁସ୍ଥ ହୋଇଛନ୍ତି ଓ ୧ଲକ୍ଷ ୮୯ହଜାର ୧୨୬ ଜଣ ସକ୍ରିୟ ଅଛନ୍ତି।

ସୂଚନାଯୋଗ୍ୟ, ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ, କେରଳ ଓ ତାମିଲନାଡ଼ୁରେ ଦୈନିକ ମାମଲା ବଢ଼ିବାରେ ଲାଗିଛି। ଏହି ୬ ରାଜ୍ୟରୁ କେବଳ ୮୬ ପ୍ରତିଶତ ମାମଲା ଆସିଛି। ମହାରାଷ୍ଟ୍ର ଓ ପଞ୍ଜାବର ବିଗୁଡ଼ୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଉଚ୍ଚସ୍ତରୀୟ ଟିମ୍ ନିଯୁକ୍ତ କରିଛି।