ନଭେମ୍ବରରେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ରାଜ୍ୟସଭା ଆସନ ପାଇଁ ନିର୍ବାଚନ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ନଭେମ୍ବର ୯ ତାରିଖରେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ୧୧ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଭାରତର ନିର୍ବାଚନ କମିଶନ (ଇସିଆଇ) ଘୋଷଣା କରିଛି। ନଭେମ୍ବର ୧୧ ପୂର୍ବରୁ ନିର୍ବାଚନ ପ୍ରକ୍ର୍ରିୟା ଶେଷ ହେବ । ଏହି ୧୧ ଆସନ ମଧ୍ୟରୁ ଉତ୍ତରପ୍ରଦେଶର ୧୦ ଓ ଉତ୍ତରାଖଣ୍ଡର ଗୋଟିଏ ରାଜ୍ୟସଭା ଆସନ ଅନ୍ତର୍ଭୁକ୍ତ। ଇସିଆଇ ପକ୍ଷରୁ କୁହାଯାଇଛି ଏହି ନିର୍ବାଚନ ପାଇଁ ଆସନ୍ତା ୨୦ ତାରିଖରେ ବିଜ୍ଞପ୍ତି ଜାରି ହେବ। ପ୍ରାର୍ଥୀପତ୍ର ଦାଖଲର ଶେଷତାରିଖ ଅକ୍ଟୋବର ୨୭ ଏବଂ ନଭେମ୍ବର ୨ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିବସ। ନିର୍ବାଚନ ଅନୁଷ୍ଠିତ ହେବାର ୨ ଦିନ ପରେ ଫଳ ଘୋଷଣା କରାଯିବ।

ଇସିଆଇ କହିଛି ମତଦାନ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଭୋଟଗଣତି ସଂଧ୍ୟା ୫ଟାରୁ ଆରମ୍ଭ ହେବ। ଉଲ୍ଳେଖଯୋଗ୍ୟ ନଭେମ୍ବର ୨୫ରେ ଉତ୍ତରାଖଣ୍ଡର ରାଜ୍ୟସଭା ସଦସ୍ୟ ରାଜ ବବର ଅବସର ନେଉଥିଲା ବେଳେ ଉତ୍ତରପ୍ରଦେଶର ଯେଉଁ ୧୦ ଜଣ ସାଂସଦ ଅବସର ନେବାକୁ ଯାଉଛନ୍ତି ସେମାନେ ହେଲେ ଚନ୍ଦ୍ରପାଲ ସିଂ ଯାଦବ, ଜାଭେଦ୍ ଅଲ୍ଲୀ ଖାନ୍, ଅରୁଣ ସିଂ, ନୀରଜ ଶେଖର, ପି ଏଲ ପୁନିଆ, ହରଦୀପ ସିଂ ପୁରୀ, ରବି ପ୍ରକାଶ ବର୍ମା, ରାଜାରାମ, ରାମଗୋପାଳ ଯାଦବ ଓ ବୀର ସିଂହ। କୋଭିଡ୍ ମହାମାରି ସମୟରେ ଏହି ନିର୍ବାଚନ କରାଯାଉଥିବାରୁ ମତଦାନ ସମୟରେ କୋଭିଡ୍-୧୯ ପ୍ରୋଟୋକଲ ପାଳନ କରିବା ଲାଗି ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଇସିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।