ଇସ୍ରୋର ଗଗନଯାନ ପ୍ରକଳ୍ପ ଖୁବଶୀଘ୍ର: ଡକ୍ଟର ଶିବନ

ନୂଆଦିଲ୍ଲୀ,ଏଜେନ୍ସି : ମହାକାଶ ସମ୍ପର୍କକୁ ଦୃଢ଼ କରିବା ପାଇଁ ଭାରତ ପ୍ରାୟ ୫୯ଟି ଦେଶ ସହିତ ପ୍ରାୟ ୨୫୦ଟି ବୁଝାମଣା କରିସାରିଛି। ସମ୍ପୃକ୍ତ ବୁଝାମଣାକୁ ନିଷ୍ଠାପର ସହ ପାଳନ କଲେ, ଭାରତ ସମେତ ବିକଶିତ, ବିକାଶଶୀଳ ଓ ଅଣବିକଶିତ ଦେଶଗୁଡ଼ିକ ଲାଭାନ୍ୱିତ ହେବେ ବୋଲି ଭାରତର ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ଅଧ୍ୟକ୍ଷ ଡକ୍ଟର କେ ଶିବନ୍ କହିଛନ୍ତି। ତାଙ୍କ ସୂଚନା ମୁତାବକ ରୁଷିଆ, ଆମେରିକା, ଫ୍ରାନ୍ସ, ଜାପାନ ଓ ଇସ୍ରାଏଲ୍ ସହିତ ଉତ୍ତମ ଯୋଗସୂତ୍ର ସ୍ଥାପନ କରି ଭାରତ ମହାକାଶଯାନ ନିର୍ମାଣ ଓ ପରିଚାଳନା ସମ୍ପର୍କିତ ଅଧିକ ବୈଷୟିକ ଜ୍ଞାନକୌଶଳ ହାସଲ କରୁଛି। ଇଣ୍ଟରନ୍ୟାସନାଲ୍ ଆଷ୍ଟ୍ରୋନଟିକାଲ୍ କଂଗ୍ରେସ (ଆଇଏସି) ୨୦୨୦ ଅଧିବେଶନରେ ଯୋଗଦେଇ ଡକ୍ଟର ଶିବନ୍ ଏହି ସୂଚନା ଦେଇଛନ୍ତି। ଶିବନଙ୍କ ମତରେ ଏବେ ଇସ୍ରୋର ଗଗନଯାନ ପ୍ରକଳ୍ପ କାମ ଜୋରସୋରରେ ଚାଲିଛି। ଏହି ପ୍ରକଳ୍ପ ପାଇଁ ମନୋନୀତ ମହାକାଶବିଜ୍ଞାନୀଙ୍କୁ ରୁଷିଆର ଅଭିଜ୍ଞ ବୈଜ୍ଞାନିକମାନେ ତାଲିମ ପ୍ରଦାନ କରୁଛନ୍ତି। ଫ୍ରାନ୍ସର ବୈଜ୍ଞାନିକମାନେ ଭାରତୀୟ ମହାକାଶବିଜ୍ଞାନୀଙ୍କୁ ଜଟିଳ ମେଡିକାଲ୍ ଟେକ୍ନୋଲୋଜି ବିଷୟରେ ତାଲିମ ଦେଉଛନ୍ତି। ଅବଶ୍ୟ ଏବେ କୋଭିଡ୍ ମହାମାରୀ କାରଣରୁ ମହାକାଶବିଜ୍ଞାନୀଙ୍କୁ ଦୈନିକ ମାତ୍ର କିଛି ଘଣ୍ଟା ପାଇଁ ତାଲିମ ଦିଆଯାଉଛି। ୨୦୨୨ ଅଗଷ୍ଟ ସୁଦ୍ଧା ଭାରତର ଗଗନଯାନ ପ୍ରକଳ୍ପ କାମ ସରିଯିବ। ଏହି ଅବସରରେ ଶିବନ କହିଛନ୍ତି, ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୧୮ ସ୍ୱାଧୀନତା ଦିବସ ଅଭିଭାଷଣକୁ ମନେପକାଇ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରୁଛୁ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ୨୦୨୨ରେ ଭାରତ ଯେତେବେଳେ ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଥିବ। ସେତେବେଳେ ଭାରତର ପୁଅଟିଏ ନଚେତ ଝିଅଟିଏ ଗଗନଯାନରେ ବସି ମହାକାଶରେ ଉଡ଼ି ବୁଲୁଥିବ।

ଶିବନ କହିଛନ୍ତି, ଭାରତର ମହାକାଶକୁ ମଣିଷ ପଠାଇବା ଅଭିଯାନ ୨୦୨୨ ସୁଦ୍ଧା ନିଶ୍ଚିତ ରୂପେ ସଫଳ ହେବ। ଏଥିପାଇଁ ଭାରତ ଆମେରିକାର ‘ନାସା’ ବୈଜ୍ଞାନିକଙ୍କ ସହଯୋଗରେ ଉପଗ୍ରହ ତିଆରି କରୁଛି। ପୃଥିବୀର ବିିଭିନ୍ନ ଅଞ୍ଚଳର ଭୌଗୋଳିକ ଅବସ୍ଥିତି ଓ ପରିବେଶ ସମ୍ପର୍କିତ ଜ୍ଞାନ ଆହରଣ ପାଇଁ ୟୁନାଇଟେଡ୍ ଷ୍ଟେଟ୍ସ ଜିଓଲୋଜିକାଲ ସର୍ଭେ ସହାୟତା ନିଆଯାଉଛି। ପୂର୍ବରୁ ଫ୍ରାନ୍ସ ସହଯୋଗରେ ଇସ୍ରୋ ଦୁଇଟି ଉପଗ୍ରହ ମହାକାଶକୁ ପଠାଇସାରିଛି। ଏଥର ମଧ୍ୟ ଇସ୍ରୋ ଫ୍ରାନ୍ସ ସହଯୋଗରେ ମାନବ ଉପଯୋଗୀ ଅତ୍ୟାଧୁନିକ ଉପଗ୍ରହ ତିଆରି କରୁଛି। ଜାପାନ ମହାକାଶ ସଂସ୍ଥା ‘ଜାକ୍ସା’ ସହଯୋଗରେ ଇସ୍ରୋ ଚନ୍ଦ୍ର ଅଭିଯାନକୁ ସଫଳ କରିବା ଉଦ୍ଦେଶ୍ୟ ରଖିଛି। ଜର୍ମାନର ‘ଡିଏଲଆର୍’ ସଂସ୍ଥାଠାରୁ ରୋବୋଟିକ୍ ଜ୍ଞାନକୌଶଳ ହାସଲ କରୁଛୁ। ଇସ୍ରାଏଲ୍ ମହାକାଶ ସଂସ୍ଥାଠାରୁ ଦୃଢ଼ ମହାକାଶ ନେଟୱାର୍କ ପାଇବାକୁ ଯାଉଛୁ। ନଭେମ୍ବର ପ୍ରଥମ ସପ୍ତାହରେ ଇସ୍ରୋ ମହାକାଶକୁ ପିଏସଏଲଭି ସି-୪୯ ରକେଟ୍ ପଠାଇବ।