ପୌର ନିର୍ବାଚନ ପାଇଁ ଚାଲିଛି ମତଦାନ: ଦଳ, ପ୍ରାର୍ଥୀ, ପ୍ରାର୍ଥୀଙ୍କ ଚରିତ୍ର ଓ ବ୍ୟକ୍ତିତ୍ୱ ଆଧାରରେ ହେଉଛି ମତଦାନ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାର ଏକ ମାତ୍ର ପୌର ପରିଷଦ ନିର୍ବାଚନରେ ଭୋଟ ଗ୍ରହଣ ପାଇଁ ଆଜି ସକାଳୁ ସମସ୍ତ ମତଦାନ କେନ୍ଦ୍ର ସମ୍ମୁଖରେ ଭୋଟର ମତଦାନ ପାଇଁ ଲମ୍ବା ଧାଡି ଦେଖିବାକୁ ମିଳିଛି। ୧୧ ୱାର୍ଡ ବିଶିଷ୍ଟ ଦେବଗଡ଼ ପୌର ପରିଷଦରେ ମୋଟ ୧୬ ହଜାର ୮ ଶହ ୧୬ ଭୋଟର ରହିଥିବା ବେଳେ ୮ ହଜାର ୬୭ ପୁରୁଷ ଓ ୮ ହଜାର ୭ ଶହ ୪୮ ମହିଳା ଭୋଟର ପୌରାଧକ୍ଷା ପ୍ରାର୍ଥୀ ସମେତ ମୋଟ ୩୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ। ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ପୌରାଧ୍ୟକ୍ଷା ଆସନରେ ବିଜେଡି ପକ୍ଷରୁ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଶାନ୍ତି ମଞ୍ଜରୀ ଦେଈଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ବିଜେପି ରାଜ ପରିବାର ଉପରେ ଭରଷା କରି ସମ୍ବଲପୁର ଲୋକସଭା ସାଂସଦ ନୀତେଶ ଗଙ୍ଗଦେବଙ୍କ ଭାଉଜ ମାଧବୀ ଦେବୀଙ୍କୁ ପ୍ରାର୍ଥୀ କରିଛି।

ସେହିପରି କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଉମାଶଙ୍କର ସାହୁଙ୍କ ସହଧର୍ମିଣୀ ପବନି ସାହୁଙ୍କୁ ପ୍ରାର୍ଥୀ କରିଛି। ସେହିପରି ସ୍ୱାଧୀନ କାଉନସିଲର ଭାବେ ଏକ ମାତ୍ର ପ୍ରାର୍ଥୀ ଭାବେ ୬ ନମ୍ବର ୱାର୍ଡରୁ ଧର୍ମେନ୍ଦ୍ର କୁମାର ଦେବତା ପ୍ରତିଦ୍ବନ୍ଦିତା କରୁଛନ୍ତି। ତେବେ ଭୋଟରଙ୍କ ମତଦାନ ଦଳ, ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଓ ଚରିତ୍ର ଆଧାରିତ ହେବ ବୋଲି ମତ ପ୍ରକାଶ କରିଛନ୍ତି।

ଆଜି ସକାଳୁ ୧ ନମ୍ବର ୱାର୍ଡ ବୁଥରେ ମତଦାନ ପାଇଁ ସମ୍ବଲପୁର ଲୋକସଭା ସାଂସଦଙ୍କ ଧର୍ମପତ୍ନୀ ରାଣୀ ଅରୁନ୍ଧତୀ ଦେବୀ, ଭାଉଜ ତଥା ବିଜେପି ପ୍ରାର୍ଥୀନୀ ମାଧବୀ ଦେବୀ, ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ ଓ ତାଙ୍କ ସହଧର୍ମିଣୀ ତଥା କଂଗ୍ରେସ ପ୍ରାର୍ଥୀନୀ ପବନି ସାହୁ, ୩ ନମ୍ବର ୱାର୍ଡ ବୁଥରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ୭ ନମ୍ବର ୱାର୍ଡ ବୁଥରେ ବିଜେଡି ପ୍ରାର୍ଥୀନୀ ଶାନ୍ତି ମଞ୍ଜରୀ ଦେଇ ପ୍ରମୁଖ ନିଜନିଜ ମତାଧିକାର ସାବ୍ୟସ୍ତ କରିଥିଲେ।

ସମସ୍ତ ୨୧ଟି ବୁଥରେ ଜଣେ ଲେଖାଏଁ ପ୍ରିଜାଇଡିଂ ଅଫିସରଙ୍କ ସମେତ ୪ ଜଣ ଲେଖାଏଁ ପୁଲିଂ ଅଫିସର୍ ଓ ଜଣେ ପୁଲିସ କର୍ମଚାରୀ ମୋଟ ୧୨୬ ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୬ ପ୍ଲାଟୁନ ପୁଲିସ ଫୋର୍ସ ଓ ୨୦ ଅଧିକାରୀଙ୍କୁ ନିୟୋଜିତ କରାଯଇଛି।

ସୂଚନା ଯୋଗ୍ୟ ଯେ ଗତ ୨୦୧୩ ପୌର ନିର୍ବାଚନ ବିଜେଡି ସପକ୍ଷରେ ଥିବା ବେଳେ ୧୧ ୱାର୍ଡରୁ ୯ଟିରେ ଦଳ ବିଜୟୀ ହୋଇ ପୌର ପରିଷଦ ଦଖଲ କରିଥିବା ବେଳେ ଚଳିତ ନିର୍ବାଚନରେ ମଧ୍ଯ ଦଳ ଏହାର ପୁନରାବୃତ୍ତି ଲକ୍ଷ୍ୟ ରଖିଛି। ପଞ୍ଚାୟତ ନିର୍ବାଚନରେ ୭-୦ରେ ଜ଼ିଲ୍ଲା ପରିଷଦରେ ପରାଜିତ ବିଜେପି ପୌର ନିର୍ବାଚନରେ ନିଜ ସମ୍ମାନ ରକ୍ଷା ପାଇଁ ରଣନିତୀ ପ୍ରସ୍ତୁତ କରିଛି। ଅନ୍ୟପକ୍ଷରେ କଂଗ୍ରେସ ମଧ୍ଯ ବିଜୟ ନେଇ ଆଶାବାଦୀ ଥିବା ଦେଖିବାକୁ ମିଳିଛି।