ପୁରୀ ବିମାନବନ୍ଦର ବିଳମ୍ବ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲେ କେନ୍ଦ୍ର ସରକାର

ନୟାଗଡ଼,ଏନ୍ଏନ୍ଏସ୍: ଜଗନ୍ନାଥ ଧାମ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ଲାଗି ପ୍ରକ୍ରିିୟା ବିଳମ୍ବ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ଲୋକସଭାରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଶ୍ରିଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ସମ୍ପର୍କିତ ପ୍ରାକ୍ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଏହା ଉପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ମନ୍ତ୍ରଳାୟ ଅପେକ୍ଷା କରିଥିବାବେଳେ ଏପର୍ଯ୍ୟନ୍ତ ତାହା ମିଳିନାହିଁ।

ରାଜ୍ୟ ସରକାରଙ୍କ ନିଷ୍ପତି ଜାଣିବା ପରେ ପ୍ରସ୍ତାବିତ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ସିନ୍ଧିଆ କହିଛନ୍ତି। ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ମଙ୍ଗଳବାର ପ୍ରସ୍ତାବିତ ପୁରୀ ବିମାନବନ୍ଦର ନିର୍ମାଣ ତ୍ୱରାନିତ କରିବାକୁ କେନ୍ଦ୍ରକୁ କହିଥିଲେ।

ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ବହୁସଂଖ୍ୟାରେ ଯାତ୍ରୀ ଓ ପର୍ଯ୍ୟଟକ ପୁରୀ ଆସୁଛନ୍ତି। ବର୍ତ୍ତମାନ ପୁରୀରେ ନୂଆ ବିମାନବନ୍ଦର ପ୍ରତିଷ୍ଠା ଜରୁରୀ ହୋଇପଡ଼ିଛି ବୋଲି ସେ କହିଥିଲେ। ସେହିପରି କୋଲକାତାରେ ଥିବା ବିଜୁ ବାବୁଙ୍କ ଡାକୋଟା ବିମାନ ଭୁବନେଶ୍ବରକୁ ଆଣିବା ଲାଗି ଶର୍ମିଷ୍ଠା ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଅନୁମତି ପ୍ରଦାନ କରିବେ ବୋଲି ମନ୍ତ୍ରୀ କହିଛନ୍ତି।