କାଳବୈଶାଖୀର ପ୍ରଭାବ: ବିଦ୍ୟାଳୟ ଉପରେ ପଡ଼ିଲା ଶୁଖିଲା ଗଛ, ଦୁଇଟି ଶ୍ରେଣୀଗୃହ ନଷ୍ଟ

ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହତିମୁଣ୍ଡା ପଞ୍ଚାୟତର ବୁଜୁଲି ଗ୍ରାମରେ କାଳବୈଶାଖୀର ତାଣ୍ଡବ ରୂପ ଦେଖିବାକୁ ମିଳିଛି। ବୁଧବାର ଦିନ ଅପରାହ୍ନରେ ବିଜୁଳି ଘଡଘଡି ସହ ଝଡ଼ବର୍ଷା ହେବା ଫଳରେ ବୁଜୁଲି ପ୍ରାଥମିକ ବିଦ୍ୟାଳୟର ଛାତ ଉପରେ ଏକ ଶୁଖିଲା ଆମ୍ବଗଛ ପଡିଯାଇ ଶ୍ରେଣୀଗୃହ ଛାତରେ ବ୍ୟବହୃତ ଆଜବେଷ୍ଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଜଣାପଡିଛି।

ସକାଳୁଆ ସ୍କୁଲ ଚାଲୁ ହେଉଥିବାରୁ ଛାତ୍ରଛାତ୍ରୀମାନେ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ବେଳେ ଦୁଇଟି ଶ୍ରେଣୀଗୃହ ଛାତ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଖବରପାଇ ସ୍କୁଲ ପରିଚାଳନା କମିଟି ସଦସ୍ୟ, ଗ୍ରାମବାସୀ ଓ ପ୍ରଧାନ ଶିକ୍ଷକ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଦୂର ଭାଷା ମାଧ୍ୟମରେ ଜଣାଇଥିବା କହିଛନ୍ତି। ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ବର୍ତ୍ତମାନ ଶ୍ରେଣୀଗୃହର ଅଭାବ ଦେଖାଦେଇଛି।

କୋଭିଡ ଯୋଗୁଁ ଦୁଇ ବର୍ଷ କାଳ ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ଥିବା ବେଳେ ପିଲାଙ୍କ ପାଠପଢ଼ା ଯେପରି ବାଧା ପ୍ରାପ୍ତ ନ ହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ବିଭଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ସ୍କୁଲ କମିଟି ସଭାପତି ବିଶ୍ୱ ବଳିଆର ସିଂ ଓ କୀର୍ତ୍ତି ସୁଆଲ ସିଂଙ୍କ ସମେତ ସମସ୍ତ କମିଟି ସଦସ୍ୟ ଓ ଅଭିଭାବକ ମାନେ ଦାବି କରିଛନ୍ତି।