ପାଟଣାଗଡ଼,ଏନ୍ଏନ୍ଏସ୍: ଖପ୍ରାଖୋଲ ଥାନା ମହରାପଦର ବାଗଝରଣ ରାସ୍ତା କଡ଼ରୁ ଗୁରୁବାର ସକାଳୁ ଖପ୍ରାଖୋଲ ପୁଲିସ ଏକ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର କରିଛି। ବୃଦ୍ଧା ଜଣକ ରେଙ୍ଗାଲି ପଞ୍ଚାୟତ ଖୁରୀପାଣି ଗାଁ’ର ବଉଳା ବରିହା (୭୦) ବୋଲି ଜଣାଯାଇଛି। ସୂଚନା ଅନୁସାରେ ସ୍ଥାନୀୟ ଲୋକେ ରାସ୍ତା କଡରେ ଏକ ବୃଦ୍ଧାଙ୍କ ଶବ ପଡ଼ିଥିବା ନେଇ ଖପ୍ରାଖୋଲ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି
ବୃଦ୍ଧା ଜଣକୁ ଖୁରୀପାଣି ଗ୍ରାମର ବୋଲି ଚି଼ହ୍ନଟ କରିଥିଲା। ଘଟଣାସ୍ଥଳରେ ମହାରପଦର ସରପଞ୍ଚ ସୁମତି ପଧାନ, ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର ସହ ବୃଦ୍ଧାଙ୍କ ପୁଅ ରାଜକୁମାର ବରିହା ପହଞ୍ଚିବା ପରେ ଶବର ପଞ୍ଚନାମା କରାଯାଇଥିଲା।
ପରେ ଶବର ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏନେଇ ଖପ୍ରାଖୋଲ ଥାନାରେ କେସ ନମ୍ବର ୪/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ବୃଦ୍ଧା ଜଣକ ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରୁଥିବା ବେଳେ ଅଂଶୁଘାତ ଯୋଗୁ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।