ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ୩ ଘଣ୍ଟା ଜେରା କଲା ଇଡି

ମୁମ୍ବାଇ,ଏଜେନ୍ସି: ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଦୀର୍ଘ ୩ ଘଣ୍ଟାକାଳ ଜେରା କରିଛି। ପିଏମସି ବ୍ୟାଙ୍କ ଜାଲିଆତି ଘଟଣାରେ ବର୍ଷାଙ୍କୁ ଇଡି ପକ୍ଷରୁ ହାଜର ହେବାକୁ ନୋଟିସ ଦିଆଯାଇଥିଲା। ତେବେ ବର୍ଷାଙ୍କୁ ଡିସେମ୍ବର ୨୯ରେ ହାଜର ହେବାକୁ ନୋଟିସ ହୋଇଥିବା ବେଳେ ସେ କିଛି ସମୟ ମାଗିଥିଲେ। ଏହାପରେ ଇଡି ତାଙ୍କୁ ଜାନୁଆରୀ ୫ରେ ହାଜର ହେବାକୁ କହିଥିଲା। ଇଡି ଅଫିସରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି।

ପିଏମସି ବ୍ୟାଙ୍କ ଦୁର୍ନୀତି ଘଟଣାରେ ଇଡି ସଞ୍ଜୟ ରାଉତଙ୍କ ନିକଟତର କୁହାଯାଉଥିବା ପ୍ରବୀଣ ରାଉତଙ୍କୁ ଗିରଫ କରିଥିଲା। ପ୍ରବୀଣ ରାଉତଙ୍କ ଆକାଉଣ୍ଟରୁ ବର୍ଷାଙ୍କ ଆକାଉଣ୍ଟକୁ ଟଙ୍କା ନେଣଦେଣ ହୋଇଥିବା ଇଡି ଜାଣିବାକୁ ପାଇଥିଲା। ତେଣୁ ଏହି ନେଣଦେଣ କାହିଁକି ହୋଇଥିଲା ଓ ଏହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ରହିଛି କି ନାହିଁ, ସେକଥା ଜାଣିବା ପାଇଁ ଇଡି ବର୍ଷାଙ୍କୁ ସମନ କରିଥିଲା।