ମାହାଙ୍ଗାରେ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣା: ୪ ଅଟକ

କଟକ,ଏନ୍ଏନ୍ଏସ୍: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ ପୁଲିସ‌ ୪ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ସେମାନଙ୍କୁ ଅଜ୍ଞାତ ସ୍ଥାନରେ ରଖାଯାଇଛି। ତେବେ ୪ ଅଭିଯୁକ୍ତ ଅଟକ ନେଇ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନଙ୍କୁ ଧରିବା ପାଇଁ କଟକ ଗ୍ରାମାଞ୍ଚଳ ପୁଲିସ‌ ପକ୍ଷରୁ ୫ଟି ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍‌ ଗତକାଲି ରାତିରେ ମାହାଙ୍ଗାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଏହି ଅଭିଯୁକ୍ତମାନଙ୍କୁ ଉଠାଇଛି। ପଚରାଉଚରା ପରେ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ସେହିଭଳି ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି।

ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଏତଲାରେ ଯେଉଁ ୧୩ ଜଣଙ୍କ ନାଁ ଦେଇଛନ୍ତି, ସେଥିରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ରହିଛି। ରମାକାନ୍ତଙ୍କ ଅଭିଯୋଗ ଅନୁଯାୟୀ, ମନ୍ତ୍ରୀ ଶ୍ରୀ ଜେନାଙ୍କ ଠାରୁ ସାହାସ ପାଇ ତଥା ତାଙ୍କ ନିର୍ଦ୍ଦେଶରେ ଏହି ରାଜନୈତିକ ହତ୍ୟାକାଣ୍ଡ କରାଯାଇଛି।

ସୂଚନାଯୋଗ୍ୟ, ଶନିବାର ସାଲେପୁର ନଗର ମଣ୍ଡଳର ପ୍ରଭାରୀ କୁଳମଣି ବରାଳ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହିତ ବାଇକରେ ନୃତ୍ତାଙ୍ଗସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଜଂକୋଟି ଗାଁ ପାଖରେ କିଛି ଦୁର୍ବୃତ୍ତ ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ବାଇକ‌ରୁ ପଡ଼ିଯିବା ପରେ ମାରଣାସ୍ତ୍ରରେ ଉଭୟଙ୍କ ମୁଣ୍ଡ ଓ ମୁହଁଙ୍କୁ ହାଣି ଦୁର୍ବୃତ୍ତମାନେ ପଳାଇଥିଲେ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର କୁଳମଣିଙ୍କୁ ମୃତ ଘୋଷଣା କରିଥିଲେ। ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବିଳମ୍ବିତ ରାତିରେ ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ଘଟିଥିଲା।