ସାରା ଦେଶରେ ଅତ୍ୟାବଶ୍ୟକୀୟ ପଦାର୍ଥ ପହଞ୍ଚାଉଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ‘କରୋନା’ ସଂକ୍ରମଣ ଯୋଗୁଁ ସାରା ଦେଶ ‘ଲକ୍ ଡାଉନ୍’ ହୋଇଛି। ବର୍ତ୍ତମାନ ପରିଲକ୍ଷିତ ହୋଇଥିବା ଖାଦ୍ୟାଭାବ ଦୂର କରିବାର ଆହ୍ୱାନକୁ ରେଳମନ୍ତ୍ରାଳୟ ଗୁରୁତ୍ୱର ସହ ଗ୍ରହଣ କରିଛି। ଭାରତୀୟ ରେଳପଥ ସମସ୍ତ ଅତ୍ୟାବଶ୍ୟକୀୟ ପଦାର୍ଥ ଯଥା ଖାଦ୍ୟଶସ୍ୟ, ପେଟ୍ରୋଲିୟମ ଉତ୍ପାଦ, କୋଇଲା , ଫଳ, ପରିବା, ଦୁଗ୍ଧ, ଜାଳେଣୀ ତେଲ, ଚିନି ଓ ଲୁଣ ଇତ୍ୟାଦି ପରିବହନ କରୁଛି । ୨୧ଦିନ ଆହ୍ୱାନକୁ ସାମ୍ନାରେ ରଖି ପୂର୍ବତଟ ରେଳପଥ ବିଭିନ୍ନ ଶକ୍ତି ଉତ୍ପାଦନ ସ୍ଥଳକୁ କୋଇଲା ଯୋଗାଣ ନିୟମିତ ଭାବେ ଜାରି ରଖିଛି । ପୂର୍ବତଟ ରେଳପଥର ପରିସୀମା ମଧ୍ୟରୁ ମାଲ ପରିବହନ କରି ଦେଶର ବିଭିନ୍ନ ସ୍ଥାନ ବିଶେଷ କରି ଦକ୍ଷିଣ ଭାରତକୁ ଚାଉଳ ଯୋଗାଣ ସମ୍ଭବ ହେଉଛି ।

ହୀରାକୂଦ, ବଲାଙ୍ଗୀର, ବରଗଡ଼ ଏବଂ ଡୁଙ୍ଗୁରୁପାଲି ଷ୍ଟେସନରୁ ଚାଉଳ ବୋଝେଇ କରି ସରେଇ, କଟିହାର, ଟାଟାସ କରଯେରିଗ୍ରାମ, ଟତସିଲୱାଇ, ନାମକୋନ, ଜସିଡିହି, ମଧୁପୁର ଏବଂ ଦୁମକା ଇତ୍ୟାଦି ସ୍ଥାନକୁ ଅତ୍ୟାବଶ୍ୟକୀୟ ପଦାର୍ଥ ପରିବହନ କରାଯାଉଛି। ପୂର୍ବତଟ ରେଳପଥ ପରିସୀମାରୁ ମାର୍ଚ୍ଚ ୨୨ରୁ ୨୮ମଧ୍ୟରେ ସମୂଦାୟ ୬ଟି ଟ୍ରେନରେ ଚାଉଳ ବୋଝେଇ କରି ଏହି ସବୁ ସ୍ଥାନକୁ ପହଞ୍ଚାଯାଇଛି।

ସେହିପରି ଦେଶର ବିଭିନ୍ନ ଶକ୍ତି ଉତ୍ପାଦନ ସ୍ଥାନକୁ ତାଳଚେର, ପାରାଦ୍ୱୀପ, ବିଶାଖାପାଟଣା ଓ ଧାମରା ଠାରୁ କୋଇଲା ପରିବହନ କରାଯାଉଛି। ମାର୍ଚ୍ଚ ୨୨ରୁ ୨୯ ପର୍ଯ୍ୟନ୍ତ ସମୁଦାୟ ୧୦୧୨ଟି ଟ୍ରେନ୍ ଅତ୍ୟାବଶ୍ୟକୀୟ ସାମଗ୍ରୀ ବହନ କରି ଚଳାଚଳ କରିଛି। ଏଥିମଧ୍ୟରୁ ୬୪୯ଟି କୋଇଲା ଟ୍ରେନ୍, ୮ଟି ଚାଉଳ ଟ୍ରେନ୍, ୨୩ଟି ପେଟ୍ରୋଲିୟମ ଉତ୍ପାଦ ଟ୍ରେନ୍, ୭ଟି ସାର ବୋଝେଇ ଟ୍ରେନ୍ ଏବଂ ୩୫୨ଟି ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ପଦାର୍ଥ ଟ୍ରେନ୍ ଚଳାଚଳ ହୋଇଛି। ଏହା ବ୍ୟତୀତ ବିଭିନ୍ନ ପଣ୍ୟ ଖଲାସ ହେଉଥିବା ସ୍ଥାନ ଗୁଡ଼ିକରେ ଧାନ, ଚିନି, ଜାଳେଣୀତେଲ, ଦୁଗ୍ଧ ଉତ୍ପାଦ ଇତ୍ୟାଦି ଖାଦ୍ୟଶସ୍ୟ ପହଞ୍ଚାଯାଇଛି।