ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା : ଘରଭଡ଼ା ଛାଡ଼କଲେ ପ୍ରଶାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ମୁକାବିଲା ପାଇଁ ରସୁଲଗଡ଼ ଅଞ୍ଚଳର ପ୍ରଶାନ୍ତ କୁମାର ଶ୍ରୀଚନ୍ଦନରାୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି। କରୋନା ପାଇଁ ପୂରା ଦେଶରେ ଲକଡାଉନ୍ ଘୋଷଣା ହୋଇଛି। ଏହି ଏକଡାଉନ୍ ଯୋଗୁଁ ଅନେକଙ୍କ ଜୀବନଜୀବିକାରେ ରୋକ୍ ଲାଗିଥିବାବେଳେ ମଧ୍ୟବିତ୍ତ ପରିବାରର ଛାତ୍ରଛାତ୍ରୀ ଏବଂ ଭଡ଼ାନେଇ ରହୁଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ପରିସ୍ଥିତିରେ ସେମାନଙ୍କ ପାଇଁ ବଦାନ୍ୟତା ଦେଖାଇଛନ୍ତି ସମାଜସେବୀ ଶ୍ରୀ ରାୟଶ୍ରୀଚନ୍ଦନ। ନିଜ ଘରେ ଭଡ଼ାରେ ରହୁଥିବା ଲୋକଙ୍କ ଠାରୁ ୬୨ ହଜାର ଟଙ୍କାର ଘରଭଡ଼ା ଛାଡ଼ କରି ଉଦାହରଣ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ପ୍ରଶାନ୍ତଙ୍କର ରସୁଲଗଡ଼ ଅଞ୍ଚଳରେ ୧୮ଟି ଘର ଭଡ଼ା ଦିଆଯାଇଛି। ଭଡ଼ାରେ ରହୁଥିବା ଲୋକମାନେ ଲକଡାଉନ୍ ଯୋଗୁଁ କର୍ମକ୍ଷେତ୍ରକୁ ଯାଇପାରୁନଥିବାବେଳେ କିଛି ଲୋକଙ୍କ ବ୍ୟବସାୟ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ଭଡ଼ା ମାଗିବା ଲଜ୍ଜାର ବିଷୟ ବୋଲି ପ୍ରଶାନ୍ତ କହିଛନ୍ତି। କେବଳ ଏତିକି ନୁହେଁ ପ୍ରଶାନ୍ତ ପ୍ରତିଦିନ ବସ୍ତିରେ ରହୁଥିବା ଗରିବ, ଅସହାୟ ଲୋକଙ୍କୁ ମଧ୍ୟ ଖାଦ୍ୟ ବାଣ୍ଟୁଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଯେଉଁବ୍ୟକ୍ତି ଯେଉଁଭଳି ଭାବରେ ସାହାଯ୍ୟ କରିପାରିବେ ସେମାନେ ପଛଘୁଞ୍ଚା ନଦେଇ ନିଜ ସକ୍ଷମରେ ସାହାଯ୍ୟ କରନ୍ତୁ ବୋଲି ସେ କହିଛନ୍ତି।