ମୃଦୁ ଭୂମିକମ୍ପ ପରେ ସୃଷ୍ଟି ହେଲା ଝରଣା

ରାୟଗଡ଼ା, ଏନ୍ଏନ୍ଏସ୍: ରାୟଗଡ଼ା ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ମୃଦୁ ଭୂମିକମ୍ପର ପ୍ରଭାବ ଦେଖିବାକୁ ମିଳିଛି । ମୃଦୁ ଭୂମିକମ୍ପ ଫଳରେ ପ୍ରକୃତିକ ଝରଣାଟିଏ ସୃଷ୍ଟି ହୋଇଛି । କଥାଟା ଶୁଣିବାକୁ ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଘଟଣା ସତ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ସହର ଉପକଣ୍ଠରେ ଥିବା ବାରିଝୋଲା ଗ୍ରାମରେ । ଏହି ଗ୍ରାମର ଜଣେ ଚାଷୀ ବାଦଲଙ୍କ ଫର୍ମହାଉସରେ ହଠାତ୍ ପଣି ଝରିବା ସହିତ ଅନବରତ ଭାବେ ପଣି ବୋହି ଚାଲିଛି । ଗତ ୧୫ ତାରିଖ ଭୋର ୪ ଟା ବେଳେ ରାୟଗଡ଼ ଜିଲ୍ଲାର କିଛି ସ୍ଥାନରେ ମୃଦୁ ଭୂମିକମ୍ପ ହୋଇଥିଲା । ଯାହା ଫଳରେ ଏକ ବଡ଼ ଧରଣର ଶବ୍ଦ ସହ ସାମାନ୍ୟ ଝଟକା ମଧ୍ୟ ଅନୁଭୂତ ହୋଇଥିଲା । ସକାଳୁ ଉଠି ଦେଖିବା ପରେ ବାଉଣ୍ଡରି କାନ୍ଥ ନିକଟରେ ଟାଇଲ ଫାଟ ଦେଇ ପାଣି ବାହାରୁଥିବା ନଜରକୁ ଆସିଥିଲା । ଭିତରେ କିଛି ପାଇପ ଫାଟିଥିବା ଅନୁମାନ କରି ପାଇପ ମେସ୍ତ୍ରୀକୁ ଡାକି ଘର ମାଲିକ ଅନୁଧ୍ୟାନ କରିଥିଲେ । କିନ୍ତୁ ସେହି ସ୍ଥାନରେ କୌଣସି ପାଇପ ଯାଇନଥିବା କି ପଡିନଥିବା ଜାଣିବା ପରେ ଝରଣା ସୃଷ୍ଟି ହୋଇଥିବା ସ୍ୱଷ୍ଟ ହୋଇଥିଲା । ଏହି ଖବର ପ୍ରଚାର ପରେ ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଜଳ ଏବଂ ପରିମଳ ବିଭାଗ ଅଧିକାରୀ ମାନେ ଆସି ଅନୁଧ୍ୟାନ କରି ଫେରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସେଠାରୁ ଅନବରତ ପାଣି ବାହାରୁଛି ।