ଅକ୍ସିଜେନ୍ ଅଭାବ: ଜାତୀୟ ଯୁଦ୍ଧରେ ଓଡ଼ିଶା ସାଜିବ ସେନାପତି

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାର ଦ୍ୱିତୀୟ ଲହରୀ ସାରା ଦେଶକୁ କବଳିତ କରିଛି।  ଦିଲ୍ଲୀ ଠାରୁ ଆରମ୍ଭ କରି ମୁମ୍ବାଇ ପର୍ଯ୍ୟନ୍ତ ସବୁଠି ସାଂଘାତିକ ସ୍ଥିତି ଉପୁଜିଛି। ଇତିମଧ୍ୟରେ ଗୁରୁତର ରୋଗୀଙ୍କ ପାଇଁ ମେଡ଼ିକାଲ ଅକ୍ସିଜେନର ଅଭାବ ପରିସ୍ଥିତିକୁ ଆହୁରି ଭୟଙ୍କର କରିଛି। ବିଭିନ୍ନ ରାଜ୍ୟକୁ ଆବଶ୍ୟକ ମୁତାବକ ଅକ୍ସିଜେନ୍ ଯୋଗାଇବାକୁ କେନ୍ଦ୍ର ସରକାର କସରତ ଚଳାଇଥିବା ବେଳେ ଜାତୀୟ ଯୁଦ୍ଧରେ ସେନାପତିର ଭୁମିକା ତୁଲାଇବାକୁ ଯାଉଛି ଓଡ଼ିଶା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜଆଡ଼ୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି ଦେଶର କୋଭିଡ୍ ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି। ବର୍ତ୍ତମାନର କରୋନା ସ୍ଥିତି ଯୁଦ୍ଧ ସ୍ଥିତି ସହ ସମାନ ବୋଲି ନବୀନ କହିଛନ୍ତି। ଜାତୀୟ ସ୍ତରରେ ଓଡ଼ିଶା ସମସ୍ତ ସହଯୋଗ ଯୋଗାଇ ଦେବାସହ ବିଭିନ୍ନ ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅକ୍ସିଜେନ୍ ଉତ୍ପାଦନ ବଢ଼ାଇବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ନବୀନ।
ଅକ୍ସିଜେନର ଅଭାବ ଦେଶବ୍ୟାପୀ ପରିଲକ୍ଷିତ ହୋଇଥିବାରୁ ରାଜ୍ୟ ରାଜ୍ୟ ମଧ୍ୟରେ ଟଣାଓଟରା ସ୍ଥିତି। କେଉଁଠି ଅକ୍ସିଜେନ୍ ଭର୍ତ୍ତି ଟ୍ରକ ଅଟକିଲାଣି ତ ଅନ୍ୟ କେଉଁଠି ଯୋଗାଣ ହୋଇପାରୁନି। ଏହି ସମସ୍ୟା ଯୋଗୁଁ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ୱତନ୍ତ୍ର ନିର୍ଦ୍ଦେଶାନାମା ଜାରିକରି କେହି ଅକ୍ସିଜେନ୍ ଟ୍ରକ ଅଟକାଇପାରିବେନି ବୋଲି ସ୍ପଷ୍ଟ ଜଣାଇଛନ୍ତି। ହେଲେ ଏହି ଭିଡ଼ାଟଣା ସ୍ଥିତିରେ ଓଡ଼ିଶା ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ଉଦାହରଣ ସୃଷ୍ଟି କରିଛନ୍ତି। ଅଧିକ ଆବଶ୍ୟକତା ଦୃଷ୍ଟିରୁ କେନ୍ଦ୍ର ସରକାର ଦିଲ୍ଲୀର ଅକ୍ସିଜେନ୍ କୋଟା ବୃଦ୍ଧିକରି ୪୮୦ କରିଥିବାବେଳେ ଏହି ଅଧିକ ଅକ୍ସିଜେନ୍ ଓଡ଼ିଶାରୁ ହିଁ ସେଠାକୁ ଯିବ। ରାଉରକେଲା ଇସ୍ପାତ କାରଖାନାରୁ ଦୈନିକ ୪୦ ଟନ୍ ଏବଂ କଳିଙ୍ଗନଗର ଟାଟାଷ୍ଟିଲ୍ ପକ୍ଷରୁ ଦୈନିକ ୩୦ ଟନ୍ ଅକ୍ସିଜେନ୍ ଦିଲ୍ଲୀକୁ ପଠାଯିବା ନେଇ ନିଷ୍ପତ୍ତି ହୋଇଛି। ଏହି ଅକ୍ସିଜେନ୍ କିଭଳି ସୁରୁଖୁରୁରେ ଦିଲ୍ଲୀରେ ପହଞ୍ଚିବ ସେଥିପାଇଁ ସବୁ ସହଯୋଗ ଓଡ଼ିଶା ସରକାର ଯୋଗାଇ ଦେବେବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଫୋନକରି ଜଣାଇଛନ୍ତି। ଏଥିପାଇଁ ଓଡ଼ିଶାକୁ ଏବଂ ଶ୍ରୀ ପଟ୍ଟନାୟକଙ୍କୁ ଦିଲ୍ଲୀବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି କେଜ୍ରିୱାଲ।
ସେହିଭଳି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ମାତ୍ରାଧିକ କରୋନା ସଂକ୍ରମିତ ଥିବାରୁ ସବୁ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ଅକ୍ସିଜେନ୍ କୋଟା ସର୍ବାଧିକ ୧୬୬୧ ରଖିଛନ୍ତି କେନ୍ଦ୍ର ସରକାର। ଏପରିକି ମହାରାଷ୍ଟ୍ରର ବିଭିନ୍ନ ପ୍ଲାଣ୍ଟ୍ରୁ ଉତ୍ପାଦିତ ସମସ୍ତ ଅକ୍ସିଜେନ୍ ସେହିଠାରେହିଁ ବିନିଯୋଗ ହେଉଛି। ତଥାପି ଆହୁରି ଅଭାବ ରହିଛି। ଏଥିଯୋଗୁଁ ଓଡ଼ିଶାରୁ ମହାରାଷ୍ଟ୍ରକୁ ଅକ୍ସିଜେନ୍ ପଠାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସହଯୋଗ ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଉଦ୍ଧବ।